ବଦଳିବ ହାଇଦ୍ରାବାଦର ନାଁ, ଜାଣନ୍ତୁ କେଉଁ ନାଁ ଦେଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ(ଆମ ଟିଭି): ବଦଳିବ ହାଇଦ୍ରାବାଦର ନାଁ। ହାଇଦ୍ରାବାଦରେ ଆୟୋଜିତ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ ଏମିତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୈଠକର ଶେଷ ଦିନରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦକୁ ଭାଗ୍ୟନଗର କହି ସମ୍ବୋଧିତ କରିଛନ୍ତି। ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି କଣ ଏବେ ଏହି ସହରର ନାମ ବଦଳିବାକୁ ଯାଉଛି। ହାଇଦ୍ରାବାଦ ହେଉଛି ଭାଗ୍ୟନଗର ଯାହା ଆମ ସଭିଙ୍କ ପାଇଁ ଗୁରୁତ୍ଵ ରଖିଥାଏ ବୋଲି ମୋଦୀ କହିଛନ୍ତି।
ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ପ୍ରଧାନମନ୍ତ୍ରୀ ହାଇଦ୍ରାବାଦକୁ ଭାଗ୍ୟନଗର କହି ସମ୍ଵୋଧିତ କରିଛନ୍ତି, ଯାହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵ ବହନ କରୁଛି। ସର୍ଦ୍ଦାର ପଟେଲ୍ ଅଖଣ୍ଡ ଭାରତର ମୂଳଦୁଆ ପକାଇଥିଲେ। ଏହାକୁ ଆଗକୁ ନେବାର ଦାୟିତ୍ଵ ବିଜେପିର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଜି ବିସ୍ତାର ସହିତ ବିଜେପି ପାଇଁ ସୁଯୋଗ, ବିଜେପିର ଇତିହାସ ଯାତ୍ରା, ବିଜେପିର ଭବିଷ୍ୟତ ଏବଂ ଦେଶ ପ୍ରତି ଆମ ଦାୟିତ୍ଵ ବିଷୟରେ ଆଲୋଚନା କରିଛନ୍ତି।ପ୍ରସାଦ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ବିସ୍ତାରକୁ ଉଲ୍ଲେଖ କରି ତେଲଙ୍ଗାନା, ପଶ୍ଚିମବଙ୍ଗ, କେରଳ ପରି ରାଜ୍ୟଗୁଡିକରେ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସାହାସକୁ ପ୍ରଶଂସା କରିଛନ୍ତି।