ବିବାହ ଉତ୍ସବ ବେଳେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ମୃତ
ନୂଆଦିଲ୍ଲୀ (ଆମ ଟିଭି): ଚାଲିଥିଲା ହସଖୁସିର ମାହୋଲ୍ । ହେଲେ ହଠାତ୍ ଚାରିଆଡେ ଖେଳିଗଲା ଶୋକର କଳାବାଦଲ । ଆଉ ଦେଖୁ ଦେଖୁ ପ୍ରାଣ ହରାଇଲେ ୧୦୦ ରୁ ଅଧିକ ଜୀବନ । ଗୁରୁତର ହୋଇଗଲେ ୧୫୦ରୁ ଅଧିକ । ଉତ୍ତର ଇରାକ ନିନେୱେହ ପ୍ରାନ୍ତର ଅଲ-ହମଦାନିଆ ଜିଲ୍ଲାରେ ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ, ଇରାକ ନିନେୱେହ ପ୍ରାନ୍ତର ଅଲ-ହମଦାନିଆ ଜିଲ୍ଲାରେ ଏକ ଇଭେଣ୍ଟ ହଲ୍ରେ ବିବାହ ଉତ୍ସବ ଚାଲିଥିଲା । ଏହି ସମୟରେ ହଠାତ୍ ହଲ୍ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯାହାଫଳରେ ଶ୍ମଶାନ ପାଲଟିଗଲା ବିବାହ ସମାରୋହ। ଅଗ୍ନିକାଣ୍ଡ ଘଟି ବର କନ୍ୟାଙ୍କ ସମେତ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଆହତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ବାଣ ଫୁଟାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସେହିପରି ଇରାକ ସରକାରଙ୍କ ମୁତାବକ, ସ୍ଥାନୀୟ ସମୟ ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ରେ ଉତ୍ତର ଇରାକ ନିନେୱେହ ପ୍ରାନ୍ତର ଅଲ-ହମଦାନିଆ ଜିଲ୍ଲାର ଏକ ଇଭେଣ୍ଟ ହଲ୍ରେ ନିଆଁ ଲାଗି ଯାଇଥିଲା। ଅତ୍ୟଧିକ ଜ୍ଵଳନଶୀଳ ସାମଗ୍ରୀରୁ ଇଭେଣ୍ଟ ହଲ୍ର କିଛି ଅଂଶରେ ନିଆଁ ଲାଗିଥିଲା। ଧୀରେ ଧୀରେ ପୁରା ଇଭେଣ୍ଟ ହଲ୍ରେ ନିଆଁ ବ୍ୟାପି ଯାଇଥିଲା। ଆଉ ଏହି ଅଗ୍ନିକାଣ୍ଡରେ ବର କନ୍ୟାଙ୍କ ସମେତ ୧୦୦ରୁ ଅଧିକ ଜିଅନ୍ତା ଜଳି ଯାଇଛନ୍ତି ।