ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା । ଓଡ଼ିଶାମୁହାଁ ହୋଇପାରେ ସିଷ୍ଟମ । ଉତ୍ତର ଥାଇଲ୍ୟାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପଶ୍ଚିମ ଦିଗକୁ ଗତି କରି ଗତକାଲି ସଂଧ୍ୟାରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚିଛି । IMDର ପୂର୍ବାନୁମାନ ଅନୁସାରେ, ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଅଧିକ ସଂଗଠିତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ସିଷ୍ଟମଟି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି IMDର ପୂର୍ବାନୁମାନ କରିଛି । ଏହି ସିଷ୍ଟମ ପ୍ରଭାବରେ ଆଗାମୀ ଦିନରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ । ତେବେ ବର୍ତ୍ତମାନ କେବଳ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି । ଏହା ଆଗକୁ କେତେ ଶକ୍ତିଶାଳୀ ହେବ ? ଅବପାତ ବା ବାତ୍ୟାର ରୂପ ନେବ କି ନାହିଁ, ସେନେଇ IMD ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ପୂର୍ବାନୁମାନ କରାଯାଇନାହିଁ ।

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିପରି ବିଜୁ ଳି, ଘଡ଼ଘଡ଼ି ପାଇଁ ସାରା ଓଡ଼ିଶାକୁ ରହିଛି ୟେଲୋ ଆଲର୍ଟ । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଏବେ ସମସ୍ତଙ୍କ ନଜର ଆଜିର ସମ୍ଭାବ୍ୟ ଲଘୁଚାପ ଓ ଏହାର ପରବର୍ତ୍ତୀ ଗତିପଥ ଉପରେ ରହିଛି।

Leave A Reply

Your email address will not be published.