ନୂଆଦିଲ୍ଲୀ(ଆମ ଟିଭି): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦିପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି । ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।
ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ୍-ହକ୍ ବୋନସ୍ ଦେବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି । ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି, ସେମାନଙ୍କୁ ମଧ୍ୟ ଏହି ବୋନସ୍ ମିଳିବ । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ପାଇଁ କେନ୍ଦ୍ର ସରକାରଙ୍କ ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ ୭୦୦୦ ଟଙ୍କା ବୋନସ୍ ଘୋଷଣା କରାଯାଇଛି ।