ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗ ବିବାଦ: ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଦାଖଲ ଯାଚିକାର ଶୁଣାଣି ପାଇଁ ପ୍ରସ୍ତୁତ SC, ସମୟ ଦେଲେ CJI
ବଢିବ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ମୁସ୍କିଲ । ଭାରତୀୟ ନିର୍ବାଚନ ଆୟୋଗ (ECI) ଭିତରେ କ୍ଷମତାର କେନ୍ଦ୍ରୀକରଣ ଏବଂ ଏକପାଖିଆ ନିଷ୍ପତ୍ତି ନିଆଯିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଆଗତ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପୀଠରେ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।
ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?
ସୁପ୍ରିମକୋର୍ଟରେ ଦାୟର ଆବେଦନରେ ଅଭିଯୋଗ ହୋଇଛି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆୟୋଗର ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ (ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ)ଙ୍କ ସମ୍ମତି କିମ୍ବା ଆଲୋଚନା ବିନା ମନମୁଖୀ ଭାବେ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି । ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୋର୍ଟ ଏହାକୁ ନିୟମିତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।