ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଓ ପାଚନ ସମସ୍ୟା ଉପରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ କର୍ମଶାଳା

0

ଭୁବନେଶ୍ୱର, ୧୭ ଜୁଲାଇ ୨୦୨୨: ପୂର୍ବ ଭାରତର ପ୍ରଥମ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଏଆଇପିଏଚ୍‌ ପକ୍ଷରୁ ରବିବାର ଦିନ ଏକ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରାଯାଉଛି। ଏହି କର୍ମଶାଳା ‘ଷ୍ଟଣ୍ଟିଂ ଆଣ୍ଡ୍ ଗଟ୍ ଡିସଫଙ୍କସନ’ ବା ବୟସ ଅନୁପାତରେ ଶିଶୁଙ୍କ ଉଚ୍ଚତା ବୃଦ୍ଧି ନହେବା ଏବଂ ପାଚନ ପ୍ରକ୍ରିୟାଜନିତ ସମସ୍ୟା ଉପରେ ଆଧାରିତ।

ଏହି ବୈଷୟିକ କର୍ମଶାଳା ଆମେରିକାର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଓଡ଼ିଶା ଚାପ୍ଟରର ସହଭାଗିତାରେ କରାଯାଉଛି। ଭୁବନେଶ୍ୱରସ୍ଥିତ ଆଇଏମଏ ହାଉସ ଅଡିଟୋରିୟମରେ ଏହି ଦିନିକିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଏହି କର୍ମଶାଳାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ଡାକ୍ତର, ଶିଶୁରୋଗ ବିଶେଷଜ୍ଞ, ବୈଜ୍ଞାନିକ, ଗବେଷକ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇ ଆମ ଦେଶରେ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ପୋଷଣ ଅଭାବ ଓ ଶାରୀରିକ ଅଭିବୃଦ୍ଧି ଆଦି ସମସ୍ୟା ଉପରେ ବିଭିନ୍ନ ଗବେଷଣାତ୍ମକ ତଥ୍ୟ ଓ ନିବନ୍ଧ ଉପସ୍ଥାପନ କରିଛନ୍ତି। ଏଥିରେ ଏଆଇପିଏଚ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନେ ଭାଗ ନେଇଛନ୍ତି।

ଏହି କର୍ମଶାଳାରେ ‘ଷ୍ଟଣ୍ଟିଂ ଆଣ୍ଡ୍ ଗଟ୍ ଡିସଫଙ୍କସନ’ ବିଷୟ ଉପରେ ବିଭିନ୍ନ ଦିଗରୁ ଉପସ୍ଥାପନା ଏବଂ ଆଲୋଚନା କରାଯାଉଛି। ଏହା ଭିତରେ ରହିଛି – ଭାରତ ଏବଂ ଓଡ଼ିଶାରେ ଶିଶୁଙ୍କ ଶାରୀରିକ ଅଭିବୃଦ୍ଧିଜନିତ ସମସ୍ୟା ଏବଂ ପୁଷ୍ଟିହୀନତାର ସ୍ଥିତି, ସମାଜର ଅର୍ଥନୀତି ଉପରେ ଶିଶୁର ଶାରୀରିକ ବିକାଶଜନିତ ସମସ୍ୟାର ପ୍ରଭାବ, ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ, ପାକସ୍ଥଳୀଜନିତ ସଂକ୍ରମଣ ଏବଂ ନବଜାତ ଶିଶୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରମଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଏଥିପାଇଁ ଆବଶ୍ୟକ ଗବେଷଣାର ରୂପରେଖ ପ୍ରସ୍ତୁତ କରିବା ସହ ଏହି ସମସ୍ୟାର ଦୀର୍ଘକାଳୀନ ସମାଧାନ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମରେ ଆମେରିକାର ଜର୍ଜଟାଉନ୍‌ ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଷ୍ଟିଭେନ୍‌ ସିଙ୍ଗର୍‌, ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର (ଆରଏମଆରସି) ନିର୍ଦ୍ଦେଶକ ଡାକ୍ତର ସଙ୍ଘମିତ୍ରା ପତି, ଦ କୋଆଲିସନ୍‌ ଫର ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ ସିକ୍ୟୁରିଟିର ମୁଖ୍ୟ ପରାମର୍ଶଦାତା ବସନ୍ତ କୁମାର କର, ଚେନ୍ନାଇସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରିସର୍ଚ୍ଚ ଅଧୀନରେ ଥିବା ଇଣ୍ଟରନାସନାଲ ସେଣ୍ଟର ଫର୍‌ ଏକ୍ସିଲେନ୍ସ ଇନ୍‌ ରିସର୍ଚ୍ଚର ସାଇଣ୍ଟିଫିକ୍‌ ଡିରେକ୍ଟର ଡକ୍ଟର ଏସ୍‌ ସୁବାସ ବାବୁ ପ୍ରମୁଖ ବକ୍ତା ଓ ଆଲୋଚକ ଭାବେ ଯୋଗ ଦେଇଛନ୍ତି।

ସେହିପରି ଭେଲୋରସ୍ଥିତ ଖ୍ରୀଷ୍ଟିୟାନ ମେଡିକାଲ କଲେଜର ଗ୍ୟାଷ୍ଟ୍ରୋଇନଟେଷ୍ଟିନାଲ୍‌ ସାଇନ୍ସେସ ଅଧୀନରେ ଥିବା ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ସିତାରା ସ୍ୱର୍ଣ୍ଣ ରାଓ ଆଜମପୁର, ପୁଡୁଚେରୀସ୍ଥିତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ନନ୍ଦିତା ବାନାଜୀ, ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଭାପତି ତଥା ଆମେରିକାସ୍ଥିତ ଜର୍ଜଟାଉନ ବିଶ୍ୱବିଦ୍ୟାଳୟର ଶିଶୁରୋଗ ବିଭାଗର ପ୍ରଫେସର ତଥା ଇଣ୍ଟରନାସନାଲ ମାଇକ୍ରୋବିଓମର ନିର୍ଦ୍ଦେଶକ ଡାକ୍ତର ପିନାକୀ ପାଣିଗ୍ରାହୀ ଏବଂ ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ପବ୍ଲିକ ହେଲଥର ଡିନ୍‌ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଛନ୍ତି।

ଏଆଇପିଏଚ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆଲାଏଡ୍ ହେଲଥ ସାଇନ୍ସେସର ଡିନ୍‌ ଡାକ୍ତର ଅର୍ଜିତ ମହାପାତ୍ର, ଆମେରିକାର ଜର୍ଜଟାଉନ୍‌ ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଷ୍ଟିଭେନ୍‌ ସିଙ୍ଗର୍‌, ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଓଡ଼ିଶା ଚାପ୍ଟରର ସଭାପତି ଡାକ୍ତର ଶୈଳଜାନନ୍ଦନ ପରିଡ଼ା ଏବଂ ସାଧାରଣ ସମ୍ପାଦକ ଡାକ୍ତର ସେବାରଞ୍ଜନ ବିଶ୍ୱାଳ ଏହି କର୍ମଶାଳାର ଆୟୋଜକ ରହିଛନ୍ତି।

ଷ୍ଟଣ୍ଟିଂ ବା ଶିଶୁର ବୟସ ଅନୁସାରେ ଉଚ୍ଚତାରେ ଅଭିବୃଦ୍ଧି ନହେବା ସମସ୍ୟା ଆମ ସମାଜ ଉପରେ ଏକ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ଯଦିଓ ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ଏବଂ ଭାରତ ବିଶେଷ ସଫଳତା ପାଇଛନ୍ତି, ତଥାପି  ସାନ ସାନ ପିଲାମାନଙ୍କ ପୋଷଣ ସମସ୍ୟାରୁ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେବା ଏକ ଆହ୍ୱାନ ଭାବେ ଛିଡ଼ା ହୋଇଛି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5)ର ରିପୋର୍ଟ ଅନୁଯାୟୀ ଭାରତରେ ଚାଇଲ୍ଡହୁଡ୍‌ ଷ୍ଟଣ୍ଟିଂ ରେଟ୍‌ ୩୫ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୩୧ ପ୍ରତିଶତ ରହିଛି। ବିଭିନ୍ନ ପୋଷଣ କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ମା’ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କାରଣରୁ ଏ କ୍ଷେତ୍ରରେ କିଛିଟା ସଫଳତା ମିଳିପାରିଛି। ତେଣୁ ଏ କ୍ଷେତ୍ରରେ ବିଜ୍ଞାନସମ୍ମତ ପଦ୍ଧତିରେ ଗବେଷଣା କରି ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି।

Leave A Reply

Your email address will not be published.