ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରାଖଣ୍ଡ ଉତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି । ଅଧାରେ ଅଟକିଯାଇଛି ଅଗର ମେସିନ । ଡ୍ରିଲିଂ ସମୟରେ ପଥର ସହ ମାଡ଼ ହେବା ଯୋଗୁଁ ମେସିନରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟ ବର୍ତମାନ ସମୟ ପାଇଁ ଅଟକି ରହିଛି । କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେଣୁ ବିକଳ୍ପ ବାଟ ବାଛିଛନ୍ତି ଉଦ୍ଧାରକାରୀ ଦଳ ।
ଏଣିକି ଭର୍ଟିକାଲ ଡ୍ରିଲିଂ ବା ଟନେଲର ଉପରପଟୁ ଖୋଳିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ଏଥିପାଇଁ ମେସିନ୍ ଗୁଡ଼ିକୁ ପାହାଡ଼ର ଉପରପଟକୁ ନିଆଯାଉଛି । ସେହିପରି ପାହାଡ଼ର ଉପରକୁ ୨୦ରୁ ଅଧିକ ଶ୍ରମିକ ଯାଇ ଖୋଳାଖୋଳି ଜାରି ରଖିଛନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମରେ ଅନ୍ତିମ ମୁହୁର୍ତରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଏହାରି ଭିତରେ ସୁଡ଼ଙ୍ଗରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ୧୪ ଦିନରେ ପହଂଚିଛି ।