ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପରଲୋକ

0

ଭୁବନେଶ୍ୱର(ଆମ ଟିଭି): ପରଲୋକରେ ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା। ମାତ୍ର ୫୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଡା. ଅଜୟ ପରିଡ଼ା । ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଛି। ହୃଦଘାତରେ ଡା. ପରିଡ଼ାଙ୍କ ମୃତ୍ୟ ହୋଇଥିବା ପ୍ରାଥମିକ ସୂଚନା ମିଳିପାରିଛି। ଡା. ପରିଡ଼ାଙ୍କ ଅକାଳ ବିୟୋଗ ତାଙ୍କ ପରିବାର ସମେତ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ଆଜି ସକାଳେ ଗୌହାଟୀସ୍ଥିତ ନିଜ ହୋଟେଲ ରୁମ୍‌ରେ ଡା. ପରିଡ଼ାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡା. ପରିଡ଼ା ଜଣେ ଅମାୟିକ, ନିଷ୍କପଟ ଓ ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗ ସମଗ୍ର ରାଜ୍ୟବାସୀଙ୍କୁ ଏକ ଶକ୍ତ ଝଟକା ଦେଇଛି।ଯାଜପୁରର ଭଗବାନପୁରରେ ଜନ୍ମ ଗ୍ରହଣ କରିଥିଲେ ଡା. ଅଜୟ ପରିଡ଼ା । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅନୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କ୍ୟାରିଅରର ପ୍ରାଥମିକ ପର୍ଯ୍ୟାୟରେ କୃଷି ଉପରେ ବହୁ ଗବେଷଣା କରିଥିଲେ । ପାଣିପାଗ ପରିବର୍ତ୍ତନର ପ୍ରଭାବ ଚାଷ, ଚାଷୀ, କୃଷି, କୃଷକ ଉପରେ କ’ଣ ରହିଥିଲା ତାହା ଉପରେ ସେ ଗଭୀର ଗବେଷଣା କରିଥିଲେ।

ଯେବେଠୁ ILS ପ୍ରତିଷ୍ଠା ହୋଇଥିଲା, ତା’ର ନିର୍ଦ୍ଦେଶକ ପଦ ତୁଲାଉଥିଲେ ଡା. ଅଜୟ ପରିଡ଼ା। ଜିନମ ସିକୁଏନ୍ସିଂ ସହ ବହୁ ଗବେଷଣା ଦାୟିତ୍ୱ ତୁଲାଉଥିଲେ । ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ବହୁ ଉପାଦେୟ ଉପଦେଶ ଦେଉଥିଲେ। କରୋନାକୁ ନ ଡରି କିପରି ଏହାର ମୁକାବିଲା କରି ହେବ ତାହାର ମନ୍ତ୍ର ରାଜ୍ୟବାସୀଙ୍କୁ ଦେଇ ଘରେ ଘରେ ପରିଚିତ ହୋଇ ପାରିଥିଲେ ଡା. ପରିଡ଼ା । ମହାମାରୀ ସମୟରେ ନିଜ ଜୀବନକୁ ବିପଦରେ ପକାଇ ଜିନମ ସିକୁଏନ୍ସିଂ ସହ ବିଭିନ୍ନ ଭାରିଏଣ୍ଟ ଉପରେ ଗବେଷଣା କରୁଥିଲେ। 

Leave A Reply

Your email address will not be published.