ଭୁବନେଶ୍ବର: ଓଡ଼ିଶା ସିଭିଲ୍ ସର୍ଭିସେସ୍ ବା ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ହଜାର ହଜାର ଆଶାୟୀଙ୍କ ପାଇଁ ବଡ଼ ଖବର । ଏଣିକି ଓସିଏସ୍ ପରୀକ୍ଷା ଦେବା ପାଇଁ ଆଉ ରହିବନି ପ୍ରୟାସ ସଂଖ୍ୟାର କଟକଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାସହ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୧୫ ତାରିଖରେ କରିଥିବା ଘୋଷଣାକୁ ଆନୁଷ୍ଠାନିକ ଅନୁମୋଦନ ମିଳିଛି । ଓଡ଼ିଶା ସିଭିଲ୍ ସର୍ଭିସେସ୍ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମାବଳୀ, ୧୯୯୧ରେ ସଂଶୋଧନ ପାଇଁ କ୍ୟାବିନେଟ୍ ଅନୁମୋଦନ ଦେଇଛି ।
ଏହି ସଂଶୋଧନ ଅନୁଯାୟୀ, ପରୀକ୍ଷାରେ ଅଂଶଗ୍ରହଣ ପାଇଁ ପୂର୍ବରୁ ରହିଥିବା ସର୍ବାଧିକ ପ୍ରୟାସ ସୀମାକୁ ହଟାଇ ଦିଆଯାଇଛି । ଫଳରେ ନିର୍ଦ୍ଧାରିତ ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରୁଥିବା ପ୍ରାର୍ଥୀମାନେ ବାରମ୍ବାର ଓସିଏସ୍ ପରୀକ୍ଷାରେ ବସିପାରିବେ । ଗତ ୨୦୨୬ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓସିଏସ୍ ପରୀକ୍ଷାରୁ ପ୍ରୟାସ ସୀମା ଉଚ୍ଛେଦ କରାଯିବ ବୋଲି ଘୋଷଣା କରିଥିଲେ। ଏବେ ସେହି ଘୋଷଣାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ପ୍ରାର୍ଥୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବାର ବାଟ ଫିଟିଛି।ପୂର୍ବ ନିୟମ ଅନୁଯାୟୀ, ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ସର୍ବାଧିକ ୬ ଥର ଓସିଏସ୍ ପରୀକ୍ଷା ଦେଇପାରୁଥିଲେ ।
ସେହିପରି ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ବା SEBC ପ୍ରାର୍ଥୀଙ୍କ ପାଇଁ ୯ ଥର ପରୀକ୍ଷା ଦେବାର ସୁଯୋଗ ଥିଲା । ତେବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ପୂର୍ବରୁ ଏଭଳି କୌଣସି ପ୍ରୟାସ ସୀମା ନଥିଲା । ନୂଆ ସଂଶୋଧନ ପରେ ସବୁ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରୟାସ ସଂଖ୍ୟାର କଟକଣା ହଟିଛି । ଅର୍ଥାତ୍ ଜଣେ ପ୍ରାର୍ଥୀ ନିର୍ଦ୍ଧାରିତ ବୟସ ସୀମା ମଧ୍ୟରେ ରହିଥିଲେ, ପୂର୍ବରୁ କେତେଥର ପରୀକ୍ଷା ଦେଇଛନ୍ତି ତାହା ଆଉ ବାଧକ ହେବନାହିଁ । ଉଲ୍ଲେଖିତ ନିୟମ ଅନୁଯାୟୀ, ପ୍ରଯୁଜ୍ୟ ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ ରହିଛି ।
ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି କ୍ୟାବିନେଟ୍ ସମ୍ପର୍କିତ ପ୍ରେସ୍ ବିବରଣୀରେ କୁହାଯାଇଛି ଯେ, ଏହି ସଂଶୋଧନର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ନ୍ୟାୟସଙ୍ଗତ ଓ ମେଧାଭିତ୍ତିକ କରିବା । ବିଶେଷକରି ପୂର୍ବ ନିୟମ ଅନୁଯାୟୀ ନିର୍ଦ୍ଧାରିତ ପ୍ରୟାସ ସଂଖ୍ୟା ଶେଷ କରିସାରିଥିବା, କିନ୍ତୁ ଏବେ ବି ବୟସ ସୀମା ମଧ୍ୟରେ ଥିବା ଆଶାୟୀମାନେ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହୋଇପାରିବେ। ଦୀର୍ଘଦିନ ଧରି ପ୍ରଶାସନିକ ସେବାରେ ଯୋଗଦେବାକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କୁ ଏହା ଆଉ ଏକ ସୁଯୋଗ ଦେବ ।