ଦ୍ରୌପଦଙ୍କୁ ମୋକିମଙ୍କ ସହ କଂଗ୍ରେସରୁ ଆଉ ଜଣେ ବିଧାୟକ ବି ଦେଇଛନ୍ତି ଭୋଟ୍ !
ଭୁବନେଶ୍ବର (ଆମ ଟିଭି): ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ମୋକିମଙ୍କ ସହ କଂଗ୍ରେସରୁ ଆଉ ଜଣେ ବିଧାୟକ ବି ଦେଇଛନ୍ତି ଭୋଟ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କଂଗ୍ରେସର ଆଉ ଜଣେ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ଦାବି କରିଛନ୍ତି । ମୋହନ ମାଝୀଙ୍କ ବୟାନ ପରେ କିଏ ସେହି କଂଗ୍ରେସ ନେତା ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୋହନଙ୍କ ବୟାନ ପରେ ତେରଛା ବାଣ ମାରି ତାରା ବାହିନୀପତି କହିଛନ୍ତି ବିଜେପି ବିଧାୟକ ବି ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବୟାନ ରାଜ୍ୟ ରାଜନୀତିରେ ପୁଣି ନୂଆ ଝଡ ସୃଷ୍ଟି କରିଛି । କଟକ ବାରବାଟିର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତିକୁ ନମାନି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କଥା ସମସ୍ତେ ଜାଣିଥିଲେ କିନ୍ତୁ ଆଉ ଜଣେ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା ମୋହନ ମାଝୀ କହିବା ପରେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ଏବେ ସମସ୍ତଙ୍କ ନଜର କିଏ ସେହି ଦ୍ୱିତୀୟ କଂଗ୍ରେସ ବିଧାୟକ ଯିଏ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି ।
ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ମୋକିମ କହିଥିଲେ ରାଷ୍ଟ୍ରପତି ନିର୍ବାଚନରେ କୌଣସି ଦଳୀୟ ହୁଇପ ଜାରି ହେଉ ନଥିବାରୁ ଓ ମାଟିର ଝିଅ ହୋଇଥିବାରୁ ସେ ତାଙ୍କୁ ଭୋଟ ଦେଇଛନ୍ତି । କିନ୍ତୁ ଆଉ କୌଣସି କଂଗ୍ରେସ ନେତା ମୋକିମଙ୍କ ଭଳି ଦ୍ରୌପଦୀଙ୍କୁ ଭୋଟ ଦେଇଥିବେ ଏକଥାକୁ କେହି ଭାବି ନଥିଲେ । ତେବେ କଂଗ୍ରେସର ଆଉ ଜଣେ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା ମୋହନ ମାଝୀ କହିବା ପରେ ପ୍ରତିକ୍ରିୟା ରଖି ତେରଛା ବାଣ ମାରିଛନ୍ତି ବିଧାୟକ ତାରା ବାହିନୀପତି । କହିଛନ୍ତି, ବିଜେପିର ଦୁଇ ଜଣ ବିଧାୟକ ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଆମକୁ ଭୋଟ ଦେବାକୁ ଡିଲ୍ କରିଛନ୍ତି ।