ଲୋକସଭା ଭବନ ଭିତରକୁ ଡେଇଁଲେ ୨ଜଣ ଯୁବକ

0

ନୂଆଦିଲ୍ଲୀ(ଆମ ଟିଭି): ସଂସଦର ଶୀତକାଳୀନ ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ। ଲୋକସଭା ଚାଲିଥିବା ସମୟରେ ହଠାତ୍‌‌ ଦର୍ଶକ ଗ୍ୟାଲେରୀରୁ ୨ ଅଜ୍ଞାତ ଯୁବକ ଡେଇଁ ହଇଚଇ ସୃଷ୍ଟି କରିଛନ୍ତି। ଏହି ୨ ଯୁବକଙ୍କୁ କାବୁ କରି ସାଂସଦ ସୁରକ୍ଷାକର୍ମୀଙ୍କ ଜିମା ଦେଇଛନ୍ତି। ଏହି ଘଟଣା ପରେ ଦିନ ୨ଟା ପର୍ଯ୍ୟନ୍ତ ବାଚସ୍ପତି ଲୋକସଭାକୁ ମୁଲତବି ଘୋଷଣା କରିଛନ୍ତି। ଏଭଳି ଘଟଣା ପରେ ଲୋକସଭାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କ୍ୟାମେରାରେ ସମସ୍ତ ଦୃଶ୍ୟ କଏଦ ହୋଇଥିବା ବେଳେ ଉକ୍ତ ଯୁବକ ଉଚ୍ଚତା ବିଶିଷ୍ଟ ଗ୍ୟାଲେରୀରେ ଖୁବ ଜୋର୍‌‌ରେ ଡେଉଁଥିବା ଦେଖାଯାଇଛି। ଦର୍ଶକ ଗ୍ୟାଲେରୀରୁ ସିଧା ସାଂସଦ ବସିଥିବା ସ୍ଥାନକୁ ଡେଇଁଛନ୍ତି। କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରି ଧରାପଡିଛନ୍ତି। ଏହାସହ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍‌‌ ପ୍ରୟୋଗ କରାଯାଇଛି। ୨ଅଜ୍ଞାତଙ୍କୁ କାବୁ କରି ବାହାରକୁ ଅଣାଯାଇଛି।

ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳେ ସଂସଦ ଗୃହରେ ପହଞ୍ଚିଥିଲେ। ଏଠାରେ ସେ ୧୩ ଡିସେମ୍ବର ୨୦୦୧ ରେ ସଂସଦରେ ହୋଇଥିବା ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.