ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ଗୋଟିଏ ସଙ୍କଟ ପରେ ଆଉ ଗୋଟିଏ ସଙ୍କଟ ସାମ୍ନାକୁ ଆସୁଛି । ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର ଗଢିବା ପରେ ଏବେ ବାଲା ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବସେନାର ନିୟନ୍ତ୍ରଣ କାହା ପାଖରେ ରହିବ? ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ନିଜକୁ ପ୍ରକୃତ ଶିବ ସୈନିକ କହୁଥିବା ବେଳେ ତାଙ୍କୁ ବିରୋଧ କରି ବିଜେପି ସହ ହାତ ମିଳାଇଥିବା ଏକନାଥ ସିନ୍ଦେ ମଧ୍ୟ ସମାନ ଦାବି କରୁଛନ୍ତି। ଏହି ଲଢ଼େଇ ଭିତରେ ଉଭୟ ସିନ୍ଦେ ଓ ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ସଂଖ୍ୟାଗରିଷ୍ଠତାର ଦସ୍ତାବିଜ ମାଗିଛନ୍ତି ନିର୍ବାଚନ କମିଶନ। ଯେଉଁ ଗୋଷ୍ଠୀ ଉପଯୁକ୍ତ ପ୍ରମାଣ ଦେଇପାରିବେ, ସେ ହିଁ ଶିବସେନାକୁ ନିୟନ୍ତ୍ରଣ କରିବେ ବୋଲି ନିର୍ବାଚନ କମିଶନ କହିଥିବା ଜଣାପଡ଼ିଛି।
ଶିବସେନା ଉପରେ ହକ ଦାବି କରି ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଇସି ଏହାକୁ ଗ୍ରହଣ କରି ଉଭୟ ଗୋଷ୍ଠୀଙ୍କୁ ପ୍ରମାଣ ମାଗିଛନ୍ତି। ଅଗଷ୍ଟ ୮ ସୁଦ୍ଧା ସେମାନେ ଦସ୍ତାବିଜ ଦାଖଲ କରିବା ପରେ ଇସି ବିଧିବଦ୍ଧ ଭାବେ ଏହାର ଯାଞ୍ଚ ଆରମ୍ଭ କରି ପରବର୍ତ୍ତୀ ପଦକ୍ଷେପ ନେବେ। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର କାରଣ ଲଖିତ ଭାବେ ଜଣାଇବାକୁ ମଧ୍ୟ ଇସି ନୋଟିସ ଜାରି କରି କହିଛନ୍ତି। ଯିଏ ଅଧିକ ସଂଖ୍ୟା ଗରିଷ୍ଠତା ଦାଖଲ କରିବ ଶିବସେନା ତାହା ହାତରେ ରହିବ । ତେଣୁ ବର୍ତ୍ତମାନ ଏକନାଥ ସିନ୍ଦେଙ୍କକ ପାଖରେ ଅଧିକ ସଂଖ୍ୟା ଗରିଷ୍ଠତା ଥିବାରୁ ଶିବସେନା ତାଙ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି ।