ନୂଆଦିଲ୍ଲୀ (ଆମ ଟିଭି): ଆଦାନୀ ଗ୍ରୁପକୁ ମିଳିଲା ସୁପ୍ରିମକୋର୍ଟରୁ କ୍ଲିନ୍ ଚିଟ୍ । ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସେବିକୁ କହିଛନ୍ତି ସୁପ୍ରିମକୋର୍ଟ ।
ହିଣ୍ଡେନବର୍ଗର ଅଭିଯୋଗ ଉପରେ ସେବିର ଯାଂଚ ନେଇ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ୩ବିଚାରପତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ସେହିପରି ଏହି ମାମଲାରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ । ତଦନ୍ତକୁ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଂଜ ବୋର୍ଡ ଅଫ୍ ଇଣ୍ଡିଆ ବା ସେବିଠାରୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମକୁ ନେବାର କୌଣସି କାରଣ ନାହିଁ । ନିୟମ ଅନୁଯାୟୀ ସେବି ତଦନ୍ତ କରୁଛି । ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସତ୍ୟମେବ ଜୟତେ ବୋଲି ନିଜ ପ୍ରତିକ୍ର୍ରିୟାର କହିଛନ୍ତି ଗୌତମ ଆଦାନି । ୨୦୨୩ ଜାନୁଆରିରେ ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରି ଶିଳ୍ପପତି ଗୌତମ ଆଦାନିଙ୍କ ସବୁ କଂପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।