ଅଭିନେତା ସଲମାନଙ୍କ ଫାର୍ମ ହାଉସକୁ ପସିଲେ ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀ
ନୂଆଦିଲ୍ଲୀ: ପୁଣି ସଲମାନଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତାଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ମଧ୍ୟ ପ୍ରଦାନ କରାଯାଇଛି । ଏସବୁ ଭିତରେ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ସଲମାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ପ୍ରବେଶ କରିଛନ୍ତି । ସେମାନେ ଜୋର ଜବରଦସ୍ତ ଫାର୍ମ ହାଉସରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇ ୨ ସନ୍ଦିଗ୍ଧଙ୍କୁ ପୋଲିସର ଜିମା ଦେଇଛନ୍ତି ।
ପୋଲିସ କହିଛି କି, ଏହି ଦୁଇ ସନ୍ଦିଗ୍ଧ ଫାର୍ମହାଉସର ତାରବାଡ କାଟି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ପୋଲିସ କହିଛି କି, ଯେତେବେଳେ ସନ୍ଦିଗ୍ଧ ୨ ଜଣ ଫାର୍ମ ହାଉସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ଫାର୍ମ ହାଉସ ଭିତରେ ସଲମାନ ଖାନ ନ ଥିଲେ । ଏବେ ପୋଲିସ ୨ ସନ୍ଦିଗ୍ଧଙ୍କୁ ଗିରଫ କରି ଥାନାକୁ ନେଇଛି ।