ନୂଆଦିଲ୍ଲୀ: ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସବୁଠି ଉତ୍ସବ ମୁଖର ପରିବେଶ । ଏହାରି ଭିତରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର ପ୍ରଥମ ଓ ଭବ୍ୟ ପ୍ରତିମୂର୍ତି ଫଟୋ ସାମ୍ନାକୁ ଆସିଛି । ରାମମନ୍ଦିରରେ ବିରାଜମାନ ରାମଲାଲାଙ୍କ ସ୍ପଷ୍ଟ ଫଟୋ ଗଣମାଧ୍ୟମକୁ ଦିଆଯାଇଛି । ଶ୍ୟାମଳ ରଙ୍ଗର ପ୍ରସ୍ତରରେ ନିର୍ମିତ ହୋଇଛି ରାମଲାଲାଙ୍କ ଏହି ଅଦ୍ଭୁତ ପ୍ରତିମୂର୍ତି । ପୂର୍ବରୁ ରାମଲାଲାଙ୍କ ଏକ ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଫଟୋଚିତ୍ର ସାମ୍ନାକୁ ଆସିବା ପରେ ୧୪୦ କୋଟି ଭାରତୀୟଙ୍କ ଭିତରେ ଏକ ଅଭୁଦପୂର୍ବ ଭକ୍ତି ଜାଗରଣ ହୋଇଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଗତକାଲି ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲଲା ।
ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ୪ ଘଂଟା କାଳ ପୂଜାପାଠ ପରେ ବିଗ୍ରହଙ୍କୁ ସ୍ଥାପନା କରାଯାଇଛି । ଆସନ୍ତାକାଲି ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଛି ।