ଉତ୍ତରାଖଣ୍ଡର ହଲଦ୍ୱାନୀ ହିଂସା : ଦଙ୍ଗାକାରୀଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

0

ଏକ ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ଗତକାଲିଠୁ ଉତ୍ତରାଖଣ୍ଡର ହଲଦ୍ୱାନୀ ଜିଲ୍ଲାରେ ଅଣାୟତ୍ତ ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି। ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ଏଯାବତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।

ସ୍ଥିତି ଅଣାୟତ୍ତ ହେବାରୁ ହଲଦ୍ୱାନୀ ସହର ପୁଲିସ୍‌ ଛାଉଣୀରେ ପରିଣତ ହୋଇଥିବା ବେଳେ କର୍ଫ୍ୟୁ ଜାରି କରାଯାଇଛି । ଅଧିକ ଗଣ୍ଡଗୋଳ ଆଶଙ୍କାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଂସାକୁ ନଜରରେ ରଖିବ ଆଜି ହଲଦ୍ୱାନୀର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ଶାନ୍ତି ରକ୍ଷା ନିମନ୍ତେ ଲୋକମାନଙ୍କୁ ଅପିଲ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହଲଦ୍ୱାନୀ ଜିଲ୍ଲାରେ ଥିବା ଏକ ବେଆଇନ ମଦ୍ରାସା ଭାଙ୍ଗିବାକୁ ଗତକାଲି ପ୍ରଶାସନିକ ଟିମ୍ ଓ ପୁଲିସ୍ ପହଞ୍ଚିଥିଲେ। ଜେସିବି ଦ୍ୱାରା ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ମାତ୍ରେ ହୋଇଥିଲା ପଥର ମାଡ଼। ଦୂରରୁ ଥାଇ ଲୋକେ ପୁଲିସ୍‌, ପ୍ରଶାସନିକ ଟିମ୍‌ ଓ ସାମ୍ବାଦିକଙ୍କ ଉପରକୁ ଆଖିବୁଜା ପଥର ଫିଙ୍ଗିଥିଲେ। ପରେ ପରେ ସେମାନେ ସେଠାରେ ଥିବା ଗାଡ଼ିମୋଟରଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଗୋଟିଏ ପୁଲିସ୍ ଗାଡ଼ିରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଥିଲେ।

Leave A Reply

Your email address will not be published.