ଯାଜପୁରରୁ ବିରୋଧୀଙ୍କୁ ଖୋଲାଖୋଲି ଟାର୍ଗେଟ କଲେ ପାଣ୍ଡିଆନ୍

0

ଯାଜପୁର(ଆମ ଟିଭି): ଯାଜପୁର କୁସୁମାର ସାଧାରଣ ସଭାରେ ଯୋଗଦେଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିରୋଧୀ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ବୋଲି କହିଛନ୍ତି। ସେ ପ୍ରଥମେ ଯାଜପୁର ଜିଲା ବୁଲିକି ଦେଖନ୍ତୁ, ଆଉ ତା’ପରେ ଏହି କଥା କହିବେ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ଜିଲାରେ ବିକାଶମୂଳକ କାର୍ୟ୍ୟର ହିସାବ ଦେଇ ଭାଜପାକୁ ସେ ତୀବ୍ର ସମାଲୋଚନା କରିଛନ୍ତି।

ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାର ଗଠନ ଲାଗି ଗୁରୁତ୍ୱ ଦିଅନ୍ତିନି କି କ୍ଷମତା ପଛରେ ଦୌଡ଼ିବାକୁ ଚାହାନ୍ତି ନାହିଁ। ଲୋକଙ୍କ ସେବା କରିବାକୁ ଚାହାନ୍ତି। ଚୌକି ପାଇଁ କିମ୍ବା କ୍ଷମତା ଲାଗି ମୁଖ୍ୟମନ୍ତ୍ରୀ ଲାଳାୟିତ ନୁହନ୍ତି। ନବୀନ ପଟ୍ଟନାୟକ ହେଉଛନ୍ତି ସେବାର ପ୍ରତୀକ। ଯିଏ କ୍ଷମତାକୁ ଆସିବୁ ବୋଲି ଖାଲି କହୁଛନ୍ତି, ତାଙ୍କୁ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଉତ୍ତର ଦେବେ। ମୁଖ୍ୟମନ୍ତ୍ରୀଙ୍କ ସେବା ଲାଗି ୨୪ ବର୍ଷ ହେଲା ତାଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଧାରାରୁ ସେ ମଧ୍ୟ ପ୍ରେରଣା ପାଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଲୋକଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଯାଜପୁର କୁସୁମାରେ ପାଣ୍ଡିଆନ ବିଭିନ୍ନ ବିକାଶମୂଳକ କାର୍ୟ୍ୟର ହିସାବ ଦେଇଛନ୍ତି। ଗତ ବର୍ଷ ଅଗଷ୍ଟ ୩୦ରେ ସେ ଯାଜପୁର ଗସ୍ତ କରିଥିଲେ। ଅଗଷ୍ଟରୁ ଇତିମଧ୍ୟରେ ମିଳିଥିବା ୨୫୪୦ ଦରଖାସ୍ତରୁ ୨୩୦୦ ଦରଖାସ୍ତର ସମାଧାନ ହୋଇଛି ବୋଲି ସେ କହିଛନ୍ତି। ଗତ ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲା ପାଇଁ ୬୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାସକୁ ୧୦୦ କୋଟି ହିସାବରେ ଯାଜପୁର ପାଇଁ ଟଙ୍କା ମଞ୍ଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି।

ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଲାଗି ୧୫ କୋଟି, ବରାହ ନଦୀ ଦ୍ୱୀପାଞ୍ଚଳର ବିକାଶ ଲାଗି ୧୫ କୋଟି, ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଲାଗି ୭ କୋଟି ୬୦ ଲକ୍ଷ, ଦଶରଥପୁରର ସିଦ୍ଧେଶ୍ୱର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ବିଞ୍ଝାରପୁର ବରୁଣେଶ୍ୱର ମନ୍ଦିର ଲାଗି ୭ କୋଟି, ଯାଜପୁର ବେଲେଶ୍ୱର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ରସୁଲପୁରର ନାରାୟଣ ଗୋସାଇଁ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ଧର୍ମଶାଳାର ଗୋପନେଶ୍ୱର ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ, ସୁକିନ୍ଦାର ଜଗନ୍ନାଥ ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଦଶରଥପୁରର ଜୟ ଚଣ୍ଡୀପୀଠ ଲାଗି ୧କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ରସୁଲପୁରର ଖଗେଶ୍ୱରୀ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ, ବ୍ୟାସନଗର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ, ଯାଜପୁରର ବାପ୍ଟିଷ୍ଟ ଚର୍ଚ୍ଚ ଲାଗି ୧କୋଟି ୯ ଲକ୍ଷ, ଛତିଆ ଟୁରିଜମ୍ କମ୍ପ୍ଲେକ୍ସ ଲାଗି ୧ କୋଟି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେହିପରି ବିଭିନ୍ନ ସେତୁ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଚିଙ୍ଗୁଡ଼ିଆନାଳ ଉପରେ ସେତୁ ଲାଗି ୬୦ କୋଟି ମଞ୍ଜୁର ହୋଇଛି।

Leave A Reply

Your email address will not be published.