ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା
ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତା’ ସହିତ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ବଢ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହି ଘୋଷଣା। ଏହା ଦ୍ୱାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ।
ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭୫୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫୩୭୫ରୁ ୭୨୫୦ ଟଙ୍କାକୁ ବଢ଼ିଛି। ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩୭୫୦ରୁ ୫ ହଜାର ଟଙ୍କା ହୋଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।
ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪- ଚାରି ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ୍ଚ ୫ ତାରିଖରୁ ୧୦ ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଚଳିତ ଫେବ୍ରୁଆରୀ ମାସରୁ ସେମାନଙ୍କୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ।