ବିଜେଡିରେ ହଲଚଲ: ଦଳ ଛାଡିଲେଣି ୩ ବିଧାୟକ, ୪ ପୂର୍ବତନ ବିଧାୟକ

0

ଭୁବନେଶ୍ୱର (ଆମ ଟିଭି): ନିର୍ବାଚନ ପାଖେଇ ଆସୁଛି। ଆଶାୟୀଙ୍କ ଆଶା କୂଳ ଲଙ୍ଘିଲାଣି। ନିଜର ରାଜନୈତିକ ଭବିଷ୍ୟତ ବଞ୍ଚାଇବା ପାଇଁ ବିଜେଡିର କେତେକ ବିଧାୟକ ଓ ପୂର୍ବତନ ବିଧାୟକ ଦଳ ଡିଆଁ ଆରମ୍ଭ କରିଛନ୍ତି। ନିଜ ଦଳ ପକ୍ଷରୁ କିଛି ଭରସା ମିଳୁନି। କାହାକୁ ଧରି ନିର୍ବାଚନ ବୈତରଣୀ ପାର ହେବେ ତାହାର କିଛି କୁଳକିନାରା ପାଉନାହାନ୍ତି। ୨୦୧୯ ନିର୍ବାଚନରେ ଯାହାଙ୍କୁ ଭରସା କରିଥିଲେ ସେମାନେ ଆଉ ହାତପାହାନ୍ତାରେ ନାହାନ୍ତି। ଦଳର ଆଗଧାଡ଼ିର ନେତା ମଧ୍ୟ ସେମାନଙ୍କ ପାଖଛଡା ଦେଲେଣି। ଦଳ ମଧ୍ୟ ପୁରୁଣାଙ୍କୁ ବଦଳାଇ ଜନସମ୍ପର୍କ ଥିବା ନୂଆ ଚେହେରା ଖୋଜାରେ ଲାଗିଛି।

ଏଭଳି ପରିସ୍ଥିତିରେ କୌଣସି ଥଳକୂଳ ନ ପାଇ ଗତ ୧୧ ଦିନ ଭିତରେ ବିଜେଡିର ୨ ଜଣ ବହିଷ୍କୃତ ବିଧାୟକ, ଜଣେ ବିଧାୟକ ଏବଂ ୪ ଜଣ ପୂର୍ବତନ ବିଧାୟକ ଭାଜପାରେ ଯୋଗ ଦେଇ ସାରିଲେଣି। ସେମାନେ ହେଲେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡିର ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ, ସାରସକଣାର ପୂର୍ବତନ ବିଧାୟକ ଭାଦବ ହାଁସଦା ଏବଂ ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି । ତେବେ ଆଉ କିଛି ବିଧାୟକ ଓ ପୂର୍ବତନ ବିଧାୟକ ମଧ୍ୟ ଦଳ ଛାଡ଼ିବା ନେଇ ସଙ୍କେତ ଦେଲେଣି।

 

 

 

 

 

Leave A Reply

Your email address will not be published.