ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ର ଶେଖର
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛି। ବିଜେଡି ଜନ୍ମବେଳଠୁ ଦଳ ସହ ଥିବା ଅଭିଜ୍ଞ ନେତାମାନଙ୍କୁ ଅଣଦେଖା କରି ଶ୍ରୀ ସାହୁଙ୍କୁ ନିର୍ବାଚନୀ ଇସ୍ତାହାର କମିଟି ଭଳି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ କରାଯିବା ଖୋଲାଖୋଲି ଭାବେ ବିଜେଡିର ପୁରୁଣା ନେତା ଓ କର୍ମୀଙ୍କ ପ୍ରତି ଶକ୍ତଧକ୍କା ପାଲଟିଛି । ବିଜେଡି ତାଙ୍କୁ ପୁଣିଥରେ ସାଂସଦ ପ୍ରାର୍ଥୀ କରୁନଥିବାରୁ ଏବେ ସଂଗଠନରେ ଥଇଥାନ ପାଇଁ ଦୁଇଟି ପ୍ରମୁଖ ପଦବୀ ଦେଇଥିବା ଚର୍ଚ୍ଚା ହେଉଛି। ଏପଟେ ବିଜେପି ଛାଡ଼ିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ୍ ଦେବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ସପ୍ତାହ ବାକି ଥିବାବେଳେ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଆରମ୍ଭ କରିଛି । ଦଳର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । ଏହାସହିତ ତାଙ୍କୁ ସଂଗଠନରେ ଉପସଭାପତି ଭାବେ ମଧ୍ୟ ପଦୋନ୍ନତି ଦେଇଛି। ଶ୍ରୀ ସାହୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଓ ଦଳୀୟ ଟିକେଟରେ ବ୍ରହ୍ମପୁରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।