ଭୌଗୋଳିକ ସୂଚନା ପ୍ରଣାଳୀ, ରିମୋଟ୍ ସେନ୍ସିଂ ଓ ଜିଓ-ଏଆଇ ଉପରେ ଏନ୍ଆଇସି, ଓଡ଼ିଶାର ଟେକ୍-ବୁଟକ୍ୟାମ୍ପ
ଇ-ଗଭର୍ଣ୍ଣାନ୍ସକୁ ସଶକ୍ତ କରିବା ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ପକ୍ଷରୁ “ଭୌଗୋଳିକ ସୂଚନା ପ୍ରଣାଳୀ– ରିମୋଟ୍ ସେନ୍ସିଂ ଏବଂ ଜିଓ-ଏଆଇ” ଶୀର୍ଷକ ଏକ ଟେକ୍ ବୁଟ୍ କ୍ୟାମ୍ପ ୩ ନଭେମ୍ବର ୨୦୨୬ ତାରିଖରେ ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ୧୦୦ ଜଣ ଅଧିକାରୀ ଯୋଗଦେଇଥିଲେ।
ଉଦ୍ଘାଟନୀ ଅଧିବେଶନରେ ଡଃ ବିଶ୍ୱବିଜୟୀ ପାଣିଗ୍ରାହୀ, ଆଇ.ଆର.ଏସ୍, (ଅବସରପ୍ରାପ୍ତ), ସହ-ପ୍ରତିଷ୍ଠାତା ଓ ମୁଖ୍ କାର୍ଯ୍ୟନିର୍ବାହୀ ଅଧିକାରୀ, ଦି ଡିଏଫ୍ ଗ୍ରୁପ୍, ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ, ଯୋଗଦେଇ ଲାମ୍ ଟେକ୍ନୋଲୋଜି, ସିମୁଲେଟର ଓ ଚିପ୍ ନିର୍ମାଣ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିଥିଲେ। ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ ର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଉପଗ୍ରହ ତଥ୍ୟକୁ ଜିଆଇଏସ୍ ସହ ସମନ୍ୱୟ କରିବା ଦ୍ୱାରା ବିଶ୍ଳେଷଣ କ୍ଷମତା ଓ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ।
ମୁଖ୍ୟ ବକ୍ତା ଭାବେ ଶ୍ରୀ କାର୍ତ୍ତିକ ଭି., ଆଇ.ଏଫ.ଏସ୍,, ବନ ସଂରକ୍ଷକ (ତଦାରଖ, ମୂଲ୍ୟାଙ୍କନ ଏବଂ ଆଭ୍ୟନ୍ତରୀଣ ସତର୍କତା) ତଥା ସୂଚନା ପ୍ରଯୁକ୍ତିବିଦ୍ୟା ଓ ଭୌଗୋଳିକ ସୂଚନା ପ୍ରଣାଳୀ ବିଭାଗର ମୁଖ୍ୟ ଯୋଗଦେଇ ବନ ପରିଚାଳନାରେ ଜିଆଇଏସ୍ ଓ ରିମୋଟ୍ ସେନ୍ସିଂର ବ୍ୟବହାର ସମ୍ପର୍କିତ ବାସ୍ତବ ଉଦାହରଣ ଉପସ୍ଥାପନ କରିଥିଲେ। ସେ ଜଙ୍ଗଲ ନିଆଁ ଯୋଜନାକାରୀ ଏବଂ ଗୁଗୁଲ୍ ଅର୍ଥ ଇଞ୍ଜିନ୍ ର ଉପଯୋଗିତା ବିଷୟରେ ଆଲୋଚନା କରିବା ସହ ଯୋଜନା ପ୍ରସ୍ତୁତି ଓ ତ୍ୱରିତ ପଦକ୍ଷେପ ଗ୍ରହଣରେ ଭୂ-ସ୍ଥାନିକ ତଥ୍ୟର ଗୁରୁତ୍ୱ ଉଲ୍ଲେଖ କରିଥିଲେ।
ଏହି ଅବସରରେ “ରିମୋଟ୍ ସେନ୍ସିଂ, ମାନବବିହୀନ ବାୟୁଯାନ, ଭୌଗୋଳିକ ସୂଚନା ପ୍ରଣାଳୀ” ଶୀର୍ଷକ ଏକ ସୂଚନା ପୁସ୍ତିକା ଏବଂ ଏନ୍ଆଇସି ଓଡ଼ିଶାର ମାସିକ ପତ୍ରିକା “ଦ ଆସେଣ୍ଡର” ର ନଭେମ୍ବର ୨୦୨୬ ସଂସ୍କରଣ ଉନ୍ମୋଚିତ ହୋଇଥିଲା।
ବୈଷୟିକ ଅଧିବେଶନରେ ଏନ୍ଆଇସି, ମୁଖ୍ୟାଳୟର ଡଃ ବିଜୟ ବୀର, “ଭାରତ ମ୍ୟାପ୍ସ”, ସ୍ପାର୍କ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭଦର୍ଶୀ ମିଶ୍ର “ଭୂ-ସ୍ଥାନିକ ତଥ୍ୟରୁ ଉପଯୋଗୀ ତଥ୍ୟଭିତ୍ତିକ ସୂଚନା”, ଏନ୍ଆଇସି ର ଅବସରପ୍ରାପ୍ତ ବୈଜ୍ଞାନିକ ଶ୍ରୀ ଜୟନ୍ତ କୁମାର ମିଶ୍ର “ଶାସନ ବ୍ୟବସ୍ଥାରେ ଜିଓ-ଏଆଇ”, ବିସାଗ-ଏନ ର ବ୍ୟବସାୟ ବିଶ୍ଳେଷକ ଏବଂ ପ୍ରକଳ୍ପ ପରିଚାଳକ ଶ୍ରୀ ଗୌତମ ବେହେରା “ପିଏମ୍ ଗତିଶକ୍ତି” ଏବଂ ଏନ୍ଆଇସି ର ବୈଜ୍ଞାନିକ ଶ୍ରୀ ନୀଳାଦ୍ରି ବିହାରୀ ମହାନ୍ତି ଓ ଶ୍ରୀ ରବୀନ୍ଦ୍ର ଚୌଧୁରୀ, “ରିମୋଟ୍ ସେନ୍ସିଂର ଉନ୍ମୋଚନ: ପିକ୍ସେଲ୍ରୁ ଅନ୍ତର୍ଦୃଷ୍ଟି ପର୍ଯ୍ୟନ୍ତ” ଉପରେ ବୈଷୟିକ ଉପସ୍ଥାପନା କରିଥିଲେ।
ଉପମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀ ଡଃ ଅଶୋକ କୁମାର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ବରିଷ୍ଠ ନିର୍ଦ୍ଦେଶିକା ତଥା ପ୍ରଶିକ୍ଷଣ ବିଭାଗର ମୁଖ୍ୟ ଶ୍ରୀମତୀ ଶିୱାନୀ କୋରାହ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜିଆଇଏସ୍, ରିମୋଟ୍ ସେନ୍ସିଂ ଓ ଜିଓ-ଏଆଇ ର ଉପଯୋଗ ମାଧ୍ୟମରେ ଇ-ଗଭର୍ଣ୍ଣାନ୍ସକୁ ଅଧିକ ସୁଦୃଢ଼ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣକୁ ଅଧିକ ପ୍ରଭାବଶାଳୀ କରିବାର ଦିଗ ଉନ୍ମୋଚନ କରି ଏହି ବୁଟ୍ କ୍ୟାମ୍ପ ସଫଳତାର ସହ ସମାପ୍ତ ହୋଇଥିଲା।