ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କଲା ED
ମୁମ୍ବାଇ(ଆମ ଟିଭି): ଦୁର୍ନୀତି ମାମଲାରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କଲା ED। ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ସଞ୍ଜୟ ରାଉତଙ୍କୁ ଗିରଫ କରିଛି ED । ଏନେଇ ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି। ରବିବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍, ୨୦୦୨’ ଅନୁଯାୟୀ ଗିରଫ ତାଙ୍କୁ ଗିରଫ କରାଯାଇଛି। ଆଜି ଅପରାହ୍ଣରେ ‘ପିଏମ୍ଏଲ୍ଏ’ ଅଦାଲତରେ ସଞ୍ଜୟଙ୍କୁ ହାଜର କରିଛି ED।
ଅନ୍ୟପକ୍ଷେ, ସଞ୍ଜୟ ରାଉତଙ୍କ ବିରୋଧରେ ମୁମ୍ବାଇ ପୋଲିସ FIR ମଧ୍ୟ ରୁଜୁ କରିଛି। ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ FIR ରୁଜୁ କରିଛନ୍ତି।ମହିଳାଙ୍କ ବୟାନ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି। ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲାରେ ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ସଞ୍ଜୟ ରାଉତ ଇଡିରେ ହାଜର ନ ହେବାରୁ ଇଡି ତାଙ୍କ ଘରେ ଚଢ଼ଉ କରିଥିଲା। ଦୁର୍ନୀତି ମାମଲାରେ ଟଙ୍କା ହେରଫେର ନେଇ ଇଡି ସଞ୍ଜୟଙ୍କୁ ପଚରାଉଚରା କରିଥିଲା। ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ଲିଙ୍କ୍ ଓ ବ୍ୟବସାୟ ତଥା ବିଭିନ୍ନ ଡିଲ୍ରେ ସଞ୍ଜୟଙ୍କ ପତ୍ନୀଙ୍କ ସମ୍ପୃକ୍ତିକୁ ନେଇ ଇଡି ଜେରା କରିଥିଲା। ଗତ ଜୁଲାଇ ୧ ତାରିଖରେ ୧୦ ଘଣ୍ଟା ଧରି ଇଡି ସଞ୍ଜୟଙ୍କୁ ମାରାଥନ ଜେରା କରିଥିଲା। ଗତ ଏପ୍ରିଲରେ ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତଙ୍କ ୧୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଥିଲା। ସୂଚନାଥାଉ କି, ଗୋରେଗାଓଁ ଅଞ୍ଚଳରେ ପତ୍ରା ‘ଚଲ୍’ ଜମିର ପୁନଃ ବିକାଶ ପାଇଁ ୧,୦୩୪ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଇଡିର ଖୋଳତାଡ଼ ଜାରି ରହିଛି।