ସ୍ବାସ୍ଥ୍ୟ ବୀମା ପାଇଁ ଆସିଲା ନୂଆ ନିୟମ: ଏଣିକି…

0

ନୂଆଦିଲ୍ଲୀ (ଆମ ଟିଭି): ସ୍ବାସ୍ଥ୍ୟ ବୀମା କ୍ରୟ କ୍ଷେତ୍ରରେ ପୂର୍ବରୁ ରହିଆସିଥିବା ସର୍ବୋଚ୍ଚ ବୟସ ସୀମା ୬୫ ବର୍ଷକୁ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଆର୍‌ଡିଏଆଇ) ପକ୍ଷରୁ ହଟାଇ ଦିଆଯାଇଛି। ଫଳରେ ଏଣିକି ଜଣେ ବ୍ୟକ୍ତି ୬୫ ବର୍ଷ ବୟସରେ ମଧ୍ୟ ସ୍ବାସ୍ଥ୍ୟ ବୀମା କିଣିପାରିବେ। ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ଏହି ନୂଆ ନିୟମ କରାଯାଇଛି।

ବୀମା ନିୟନ୍ତ୍ରକ ସଂସ୍ଥା ଆଇଆର୍‌ଡିଏଆଇର ଏକ ବିଜ୍ଞପ୍ତି ଅନୁସାରେ, ବୀମା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ସ୍ବାସ୍ଥ୍ୟ ବୀମାର ଏମିତି ପ୍ରଡକ୍ଟ ଆଣିବାକୁ ପଡ଼ିବ, ଯାହାକି ବରିଷ୍ଠ ନାଗରିକ, ଛାତ୍ରୀଛାତ୍ର, ପିଲା ଓ ମାତୃତ୍ୱ ଆବଶ୍ୟକତାକୁ ପୂରଣ କରିପାରୁଥିବ। ଏହି ନିର୍ଦ୍ଦେଶନାମା ଜାରି ହେବା ଫଳରେ ଜୀବନ ସ୍ଥିତି ଓ ସ୍ବାସ୍ଥ୍ୟ ଆବଶ୍ୟକତାର ବିବିଧ କ୍ଷେତ୍ରକୁ ସାମିଲ କରିବା ପାଇଁ ବୀମା କମ୍ପାନୀଗୁଡ଼ିକ ଉତ୍ସାହିତ ହେବେ। ଆଇଆର୍‌ଡିଏଆଇ ଏହାବାଦ୍‌ ବରିଷ୍ଠ ନାଗରିକଙ୍କୁ ସୁବିଧା ପ୍ରଦାନ ଲାଗି କେତେକ ନୂଆ ପଲିସି ଆଣିବାକୁ ବାଧ୍ୟତାମୂଳକ କରିଛି। ଦାବିଗୁଡ଼ିକର ତୁରନ୍ତ ଫଇସଲା ଏବଂ ଅଭିଯୋଗ ଶୁଣାଣି ନିମନ୍ତେ ସ୍ବତନ୍ତ୍ର ଚ୍ୟାନେଲ ଖୋଲିବାକୁ ମଧ୍ୟ ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମାନବୀୟ ତଥା ଯନତ୍ଶୀଳ କରି ବିକଶିତ କରିବା ଉଦ୍ଦେଶ୍ୟରେ ଆଇଆର୍‌ଡିଏଆଇ ଏହି ନୂଆ ନିୟମ ଆଣିଛି। କର୍କଟ, ହୃଦ୍‌ଘାତ, କିଡ୍‌ନୀ ଫେଲ୍ୟୁର୍‌ ଏବଂ ଏଡ୍ସ ଆଦିରେ ଆକ୍ରାନ୍ତ ବ୍ୟକ୍ତି ସ୍ବାସ୍ଥ୍ୟ ବୀମା କିଣିବାରେ ଅଧିକ ସୁବିଧା ପାଇବେ। ଏଭଳି ରୋଗଗୁଡ଼ିକ ପଲିସି କିଣିବାରେ ବାଧକ ହୋଇପାରିବ ନାହିଁ। ସେହିପରି ପୂର୍ବସ୍ଥିତି ସର୍ତ୍ତ ଆଗରୁ ୪୮ ମାସ ଥିବାବେଳେ ଏବେ ଏହାକୁ ୩୬ ମାସକୁ ହ୍ରାସ କରାଯାଛି।

Leave A Reply

Your email address will not be published.