ତିନି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ବବିଙ୍କ ମାଙ୍କୁ ମିଳିଲା ଟିକେଟ
୧୪୭ଟି ବିଧାନସଭା ଆସନରୁ ବିଜେଡି ୧୪୪ଟି ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାକି ଥିବା କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ମିଳିଛି। ଦଳ ତାଙ୍କୁ କୋରେଇରୁ ପ୍ରାର୍ଥୀ କରିଛି। ଫଳରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ପ୍ରଣବଙ୍କ ଭିଣୋଇ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ବେଳେ ଦଳ ଭିତରୁ କିଛି ନେତା ସୋଶାଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ ଗୋଟିଏ ପରିବାର ଗୋଟିଏ ଟିକେଟରେ ବବି (ପ୍ରଣବ ପ୍ରକାଶ ଦାସ) ଜୋର ଦେଇ ଆସୁଛନ୍ତି।
କୋରେଇରୁ ବବିଙ୍କ ମା’ଙ୍କୁ ଟିକେଟ ଦିଆଯାଇଥିବା ବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। କୋରେଇରୁ ଟିକେଟ ପାଇଁ ବବି ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା ବୋଲି କୁହାଯାଉଥିଲା। ଏମିତିକି ଦଳର ସଂଗଠନ କଥା ବୁଝୁଥିବା ଏକ ଗୋଷ୍ଠୀ ବବିଙ୍କ ସମର୍ଥକଙ୍କୁ କୋରେଇରୁ ଟିକେଟ ନଦେବାକୁ ଜୋର ଦେଇଥିଲା। ତେବେ ବବି କାଳେ କୋରେଇରୁ ଏକ ଟିକେଟ ନେବା ପାଇଁ ଜିଦ୍ ଧରି ବସିଥିଲେ।
ବିଜେପି ଛାଡ଼ି ପୁଣି ବିଜେଡିରେ ସାମିଲ ହୋଇଥିବା ସୁକାନ୍ତ କୁମାର ନାୟକଙ୍କୁ ବିଜେଡି ନୀଳଗିରିରୁ ଟିକେଟ ଦେଇଛି। ସେଠାରେ ସୁକାନ୍ତଙ୍କ ରାସ୍ତାରେ କଣ୍ଟା ସାଜିଥିଲେ ସନ୍ତୋଷ ଖଟୁଆ। ସେ ସୁକାନ୍ତଙ୍କୁ ତୀବ୍ର ବିରୋଧ କରୁଥିଲେ। ତେବେ ଶେଷରେ ଦଳ ସୁକାନ୍ତଙ୍କ ଉପରେ ଭରସା କରିଛି। ୨୦୧୪ରେ ସୁକାନ୍ତ ନୀଳଗିରିରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପି ଟିକେଟରେ ନୀଳଗିରିରୁ ଲଢ଼ି ବିଜୟୀ ହୋଇଥିଲେ।
ଖଣ୍ଡପଡ଼ାରୁ ଏଥର ପୁଣି ଟିକେଟ ପାଇବା ପାଇଁ ଆଶାୟୀ ଥିଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। କିନ୍ତୁ ଦଳ ତାଙ୍କୁ ପୁଣି ନିରାଶ କରିଛି। ତାଙ୍କ ବଦଳରେ ଦଳ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଛି। ଟିକେଟ ନମିଳିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ। ୨୦୧୪ରେ ବିଜେଡି ଟିକେଟରେ ଖଣ୍ଡପଡ଼ାରୁ ବିଧାନସଭାକୁ ଯାଇଥିଲେ ଅନୁଭବ ପଟ୍ଟନାୟକ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା।