ବିଜେଡି ଉପରେ ବର୍ଷିଲେ ମୋଦି, କହିଲେ ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର
‘ଆସନ୍ତା ମାସ ୪ ତାରିଖରେ ସମଗ୍ର ଦେଶରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ। ଉକ୍ତ ଦିନ ଓଡ଼ିଶାର କାୟା ପଲଟିବ। ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରର ଜୁନ୍ ୪ ତାରିଖ ହେଉଛି ଏକ୍ସପାରୀ ଡେଟ୍।’ ଆଜି ଦକ୍ଷିଣ ଓଡ଼ିଶାରେ ପାୱାରଫୁଲ୍ ଶୋ’ କରି ଏପରି ଭାବେ ବିଜେଡି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ମୋଦି ହଜାର ହଜାର ଲୋକଙ୍କ ଜନସମାବେଶକୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ବିଜେଡି ତଥା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହି ଅବସରରେ ମୋଦି କହିଛନ୍ତି, ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଆସିବ। ବିଜେପି ଯାହା କହିଥାଏ, ତାହା କରିକି ଦେଖାଇଥାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରୀ ଡେଟ ଲେଖାଅଛି।
ଆଉ ମାସେ ପରେ ଅର୍ଥାତ ୬ ଜୁନ୍ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆମେ ସଙ୍କଳ୍ପପତ୍ରର ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବୁ। ଏହା ମୋଦିର ଗ୍ୟାରେଣ୍ଟି ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ।
ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତିତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି। ଏହାସତ୍ତ୍ୱେ ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋଦି।
ସେ କହିଛନ୍ତି, ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍ ଏହି ପାପ ପାଇଁ ଦାୟୀ । ଓଡ଼ିଶାରେ ବିଜେଡିର ଛୋଟ ଛୋଟ ନେତା ବି ଖୁବ୍ ବଡ଼ ବଡ଼ କମ୍ପାନୀର ମାଲିକ। କିନ୍ତୁ ଏଠାକାର ଲୋକ ଗରୀବ। ଓଡ଼ିଶା ଧନୀ, କିନ୍ତୁ ଏହାର ଜନତା ଗରୀବ। ଏହି ସାଂଘାତିକ ପାପ ପ୍ରଥମେ କଂଗ୍ରେସ ଓ ବିଜେଡି କରିଛନ୍ତି। ଏବେ ଆମେ ଏହା ସୁଧାରିବାକୁ ପଣ କରିଛୁ।
ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ ବୋଲି ବି କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।