ତାତିରେ ଲାଗିବ ବ୍ରେକ , ଆଜି ଭିଜିବ ଓଡ଼ିଶା

0

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଘର ବାହାରିବା କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ଆଶ୍ୱସ୍ତି କର ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଆଜିଠୁ ରାଜ୍ୟବାସୀଙ୍କୁ ମିଳିପାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି। ରାଜ୍ୟରେ ପାଗରେ ପରିବର୍ତ୍ତନ ନେଇ ପୂବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ୭ ତାରିଖରୁ ବର୍ଷାର ବିସ୍ତୃତି ବଢିବ। ୭ ଓ ୮ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ।

ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଂଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡ଼ିଶା- ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.