ପାରାଦୀପରେ ଚାଇନା ଜାହାଜ ଅଟକ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଲେ କୁଜଙ୍ଗ ସବ-ଜଜ୍
ପାରାଦୀପରେ ଚାଇନା ଜାହାଜ ଅଟକ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଲେ କୁଜଙ୍ଗ ସବ୍ ଜଜ୍।ପାରାଦୀପ ବନ୍ଦରକୁ ଆସିଥିବା ଚିନ୍ ଜାହାଜ MJHEHAI 505 ଜାହାଜ ଅଟକ ରଖାଯାଇଛି। ଜାହାଜକୁ ଅଟକ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ତୁରନ୍ତ ଏହାକୁ ଅଟକା ନଯାଏ, ଏହି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଦେବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ଜାହାଜକୁ ଅଟକ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଆବେଦନକାରୀ ସଂସ୍ଥା ସ୍କାଣ୍ଡି ଟ୍ରେଡିଂ ଲିମିଟେଡକୁ ଜାହାଜ ମାଲିକ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ ନକରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଜଷ୍ଟିସ୍ ଭି. ନରସିଂହ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ପହିଲାକୁ ଧାର୍ଯ୍ୟ ହୋଇଛି । ଆଡମିରାଲିଟି ଆଇନ ଆଧାରରେ ଜାହାଜକୁ ଗିରଫ ପାଇଁ ପଦକ୍ଷେପ ନିଆଯାଇଛି। ଜଣାପଡ଼ିଛି ଯେ, ‘ଲୋ ସଲଫର ମ୍ୟାରିନ୍ ଗ୍ୟାସ୍ ଅଏଲ୍’ କାରବାରକୁ ନେଇ ଉଭୟ ଆବେଦନକାରୀ ଟ୍ରେଡିଂ ସଂସ୍ଥା ଏବଂ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଜାହାଜର ମାଲିକ ଟ୍ରେଡିଂ ସଂସ୍ଥାକୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିବା କଥା। କିନ୍ତୁ ଜାହାଜ ମାଲିକ ଏହି ଅର୍ଥ ନଦେବାରୁ ଆବେଦନକାରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦାଖଲ ସମସ୍ତ ଦସ୍ତାବିଜ୍ ଏବଂ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହାକୁ ଶୁଣିବା ପରେ ଏଥିରେ ପ୍ରାଥମିକ ପ୍ରମାଣ ଥିବା ଅନୁଭବ କରି ମାମଲା ବିଚାର ପାଇଁ ଗ୍ରହଣୀୟ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଜାହାଜକୁ ଗିରଫ ପାଇଁ ଆଦେଶ ଦିଆନଯାଏ ତାହେଲେ ଆବେଦନକାରୀ ନିରାଶ ହେବେ। ଏବଂ ଯେଉଁ ମାମଲା ରୁଜୁ କରାଯାଇଛି ତାହା ମଧ୍ୟ ଅକାମୀ ହୋଇଯିବ।