ରଥରେ ଅଣସେବାୟତ ଚଢ଼ିବା ପ୍ରସଙ୍ଗ : ବଢ଼ିଲା ଦଇତାପତି-ଶ୍ରୀମନ୍ଦିର ପ୍ରଶାସନ ବିବାଦ
ଏବର୍ଷ ରଥଯାତ୍ରାରେ ବିଶୃଙ୍ଖଳା ରେକର୍ଡ କରିଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶୃଙ୍ଖଳା ଏବଂ ବିଭ୍ରାଟ ଦେଖିବାକୁ ମିଳିଛି। ବିଶୃଙ୍ଖଳା ମଧ୍ୟରେ ଏଥର ରଥ ଉପରେ ଚଢ଼ିଛନ୍ତି ଅଧିକ ଅଣସେବାୟତ। ଏହାକୁ ମଧ୍ୟ ଗମ୍ଭୀରତାର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଖୋଲାଖୋଲି ବ୍ୟବସ୍ଥାବଳୀର ଉଲ୍ଲଂଘନ କରାଯାଇଥିବାରୁ ମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଆପଣାଇଛି। ହେଲେ ଏହି ଆଭିମୁଖ୍ୟକୁ ତୀବ୍ର ବିରୋଧ କରିଛି ଦଇତାପତି ନିଯୋଗ। ଫଳସ୍ୱରୂପ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମଧ୍ୟରେ ବିବାଦ ବଢ଼ିଛି। ମନ୍ଦିର ପ୍ରଶାସନ ଜଣେ ଦଇତାପତି ସେବାୟତଙ୍କୁ ଯେଉଁ ନୋଟିସ୍ ଦେଇଛି, ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ନିଯୋଗ ପକ୍ଷରୁ ଦାବି କରାଯାଇଛି। ରଥ ଉପରେ ଅନଧିକୃତ ବ୍ୟକ୍ତି ନୁହଁନ୍ତି, ସେବାୟତଙ୍କ ସହାୟକ ଚଢ଼ିଥିଲେ। ତାଙ୍କୁ ଯେଉଁଭଳି ଭାବେ ରଥରୁ ଓହ୍ଲାଇ ଦିଆଗଲା, ତାହା ଦୁଃଖଦାୟକ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ବାରମ୍ବାର ରଥ ଉପରେ ଅଣସେବାୟତ ଚଢ଼ିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ବା ଥାନାରେ ଅଭିଯୋଗ ହେଉଥିଲେ ହେଁ ନିୟମ ଭାଙ୍ଗୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସେଭଳି କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ତେଣୁ ଏଭଳି ଘଟଣା ଦେଖିବାକୁ ମିଳୁଛି। ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।