ରାଜନଗର (ଆମ ଟିଭି): ବିଜେପି ସଦସ୍ୟତା ଅଭିଯାନ କର୍ମଶାଳାରେ ଆଜି ତୁମୁଳକାଣ୍ଡ ଘଟିଛି। ଦୁଇଗୋଷ୍ଠୀ ମଧ୍ୟରେ ପିଟାପିଟି, ଚେୟାର ଫିଙ୍ଗା ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏ ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ ଆଜି ଅପରାହ୍ଣରେ ବିଜେପି ପକ୍ଷରୁ ରାଜନଗର ନିର୍ବାଚନମଣ୍ତଳୀର ୩୧ନଂ ଜୋନ୍ର ସଦସ୍ୟତା ଅଭିଯାନ କର୍ମଶାଳା ଆୟୋଜନ ହୋଇଥିଲା। ଏହି ବୈଠକ ୩୦ ନମ୍ବର ଜୋନ ଅଞ୍ଚଳରେ ଅନୁଷ୍ଠିତ ହେଉଥିଲା। ୩୧ ନମ୍ବର ଜୋନ ସଭାପତି ଦିଲ୍ଲୀପ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ନେତା ଲଳିତ କୁମାର ବେହେରା, ରାଜୀବ ଲୋଚନ ନାୟକ, ନିର୍ବାଚନମଣ୍ତଳୀ ପ୍ରଭାରୀ ସୁନାକର ବେହେରା, ଶୁଭକାନ୍ତ ନାୟକ, ବିକ୍ରମ କୁମାର ବାରିକ, ନିମାଇଁ ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୩୧ନମ୍ବର ଜୋନ ଡେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ଯୁବମୋର୍ଚ୍ଚା ସଂପାଦକ କ୍ରିଷ୍ଣା ବେହେରା, ଯୁବନେତା ଦିଲ୍ଲୀପ ପାଳ ଓ ପୁରୁଣା କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ୩୧ ନମ୍ବର ଜୋନର ବୈଠକ ୩୦ ନମ୍ବର ଜୋନ ଅଞ୍ଚଳରେ କାହିଁକି ହେଉଛି, ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଉ ନାହିଁ ବୋଲି ପଚାରି ସେମାନେ ପାଟିତୁଣ୍ଡ କରିଥିଲେ।
ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ବଦଳରେ କଂଗ୍ରେସ, ବିଜେଡିରୁ ଆସିଥିବା ନେତାଙ୍କୁ ନେଇ ବୈଠକ କରାଯାଉଛି ବୋଲି ସେମାନେ କହିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ଚେୟାର ଫିଙ୍ଗା ସହ ମାରପିଟ୍ ଯାଏଁ କଥା ଯାଇଥିଲା।