ସରୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନେଇ ପାୱାର କରିଡରରେ ଏବେଠୁ ଅଙ୍କକଷା
ଭୁବନେଶ୍ବର(ଆମ ଟିଭି): ଆସନ୍ତା ୩୧ ରେ ସରୁଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନେଇ ପାୱାର କରିଡରରେ ଚାଲିଛି ଚର୍ଚ୍ଚା । ୨୦୨୨ ଫେବୃଆରୀରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ ରାଜ୍ୟ ସରକାର କାର୍ଯ୍ୟକାଳ ସୁରେଶଙ୍କ ୬ ମାସ ବୃଦ୍ଧି କରିଥିଲେ । ଅଗଷ୍ଟ ୩୧ ରେ ସେ ଅବସର ନେବେ ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ଅଗଷ୍ଟ ୩୧ତାରିଖରେ ଶେଷ ହେଉଥିବାରୁ ତାଙ୍କର ଅବଧି ପୁନଃ ବୃଦ୍ଧି କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି । ତାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇପାରେ । ଗତ ଜୁନ୍ ମାସରେ ଶ୍ରୀ ମହାପାତ୍ରଙ୍କ ସମେତ ୩ଜଣଙ୍କ ନାଁ ଓଇଆରସି ଅଧ୍ୟକ୍ଷ ପଦବୀ ପାଇଁ ସର୍ଟଲିଷ୍ଟ ହୋଇ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ଏପରିକି ଶ୍ରୀ ମହାପାତ୍ରଙ୍କୁ ପୁରୀ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ତାଙ୍କୁ ସେଥିପାଇଁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଏପଟେ ଶ୍ରୀ ମହାପାତ୍ରଙ୍କ ପରେ ବରିଷ୍ଠତା ଭିତ୍ତିରେ ରାଜ୍ୟରେ ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମା, ୧୯୮୭ ବ୍ୟାଚର ନିକୁଞ୍ଜ କିଶୋର ସୁନ୍ଦରାୟ, ରାଜକୁମାର ଶର୍ମା ଓ ୧୯୮୮ ବ୍ୟାଚର ସିଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର କାର୍ଯ୍ୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ୧୯୮୯ ବ୍ୟାଚ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ଉନ୍ନୟନ କମିଶନର ଭାବେ ୨୦୨୧ ଜାନୁଆରୀରୁ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି । ଶ୍ରୀ ଜେନାଙ୍କ ଉପରେ ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ଅଫିସରଙ୍କ ମଧ୍ୟରେ ଜିଭିଭି ଶର୍ମା ଆଉ ୨ମାସ, ନିକୁଞ୍ଜ ସୁନ୍ଦରାୟ ଆସନ୍ତା ମାର୍ଚ୍ଚରେ ଅବସର ନେବେ । ସେହିପରି ଏବେ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ରାଜକୁମାର ଶର୍ମା ମଧ୍ୟ ଆସନ୍ତାବର୍ଷ ଅଗଷ୍ଟରେ ଅବସର ନେବେ। ଏମାନଙ୍କ ବ୍ୟତୀତ ସିଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର ସରକାରଙ୍କ ଗୁଡବୁକରେ ନଥିବାରୁ ଏହି ଉପରୋକ୍ତ ସମସ୍ତ ଅଫିସର ମୁଖ୍ୟ ସଚିବ ରେସରୁ ସ୍ୱତଃ ବାଦ୍ ପଡ଼ିଛନ୍ତି ।