ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହଟହଟା ହେଲେ ସୁନୀତି ମୁଣ୍ଡ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହଟହଟା ହୋଇଛନ୍ତି ଗତ ଭୁବନେଶ୍ୱର ମହାନଗର ନିଗମ (BMC) ନିର୍ବାଚନରେ ଦଳ ତରଫରୁ ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତିନି ଦିନ ତଳେ ନିଲମ୍ବିତ ହୋଇଥିବା ସତ୍ତ୍ୱେ ସେ ଦଳୀୟ ଅଫିସକୁ ଆସି ସେଠାରେ ଦଳ ବିରୋଧରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ଅଭିଯୋଗ କରି ବିଜେପିର କେତେକ ମହିଳା କର୍ମୀ ତାଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ।
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ-୨୦୨୪ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଯୋଗୁ ବିଜେପିର ରାଜ୍ୟ କାର୍ଯ୍ୟାଳୟ ବେଶ୍ ଭିଡ଼ ଥିଲା। ନିଲମ୍ବନ ହୋଇଥିବା ସତ୍ତ୍ୱେ ସୁନୀତି ମୁଣ୍ଡ ଆଜି ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ସେ ଗଣମାଧ୍ୟମକୁ ବାଇଟ୍ ଦେବା ପରେ ରାଗି ଯାଇଥିଲେ ଉପସ୍ଥିତ କେତେକ ଦଳୀୟ ନେତ୍ରୀ ଓ ମହିଳା କର୍ମୀ। ସେମାନେ ସୁନୀତି ମୁଣ୍ଡଙ୍କୁ ଅଫିସରୁ ବାହାର କରି ଦେଇଥିଲେ।
ଦଳୀୟ ନେତ୍ରୀ ସୁବାସିନୀ ପୃଷ୍ଟି କହିଛନ୍ତି, ସେ (ସୁନୀତି ମୁଣ୍ଡ) ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ରାଜ୍ୟ ସଭାପତି ନିଲମ୍ବନ କରିଛନ୍ତି। ନିଲମ୍ବନ ହୋଇଥିବା ସତ୍ତ୍ୱେ ସେ ଆଜି ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ଓ ବସିଥିଲେ। ନିୟମ ଅନୁସାରେ ସେ ଦଳୀୟ ଅଫିସକୁ ଆସିବା କଥା ନୁହେଁ। ତଥାପି ଆମେ ତାଙ୍କୁ ବିରୋଧ କରି ନଥିଲୁ। କିନ୍ତୁ ଏଠାରେ ସେ ବାଇଟ୍ ଦେଉଥିଲେ। ସେ ଦଳ ବିରୋଧରେ କହୁଥିଲେ। ତେଣୁ ଆମେ ବିରୋଧ କରିଥିଲୁ। ଆମେ ହାତଯୋଡ଼ି ତାଙ୍କୁ ବାଇଟ ନଦେବାକୁ କହିଥିଲୁ। ବାଇଟ୍ ଦେବାର ଥିଲେ ଅଫିସ ବାହାରକୁ ଯିବାକୁ କହିଥିଲୁ। ତା’ ସତ୍ତ୍ୱେ ସେ ଶୁଣି ନଥିଲେ।