ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

0

ଭୁବନେଶ୍ୱର (ଆମ ଟିଭି): ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ ମୂଳରୁ ଦୋହଲି ଯାଇଛି। କହିବାକୁ ଗଲେ ଦଳର ଶୀର୍ଷନେତାଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି। ଏହାରି ଭିତରେ ଆଉ କିଏ ଶଙ୍ଖ ଦଳ ଛାଡିବେ ସେନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା। ଏବେ ବିଜେଡିର ରାଜ୍ୟ ସଭା ପଡିଆରେ ୯ଟି ଓ୍ବିକେଟ୍‌ରୁ ଖସିଛି ୨ଟି ଓ୍ବିକେଟ୍‌ । ଆଗକୁ ଆହୁରି ବି ଓ୍ବିକେଟ୍‌ ପଡିବାର ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ। ମମତା ମହାନ୍ତଙ୍କ ଇସ୍ତଫା ସମୟରେ ହିଁ ବିଜେଡିରୁ ଦୁଇ ତିନି ଜଣ ଏମପି ଭାଜପା ସହ ଯୋଗାଯୋଗରେ ରହିଥିବା ନେଇ ଚର୍ଚ୍ଚା ହେଉଥିଲା। ସୁଜିତ କୁମାର ରାଜ୍ୟ ସଭା ସଦସ୍ୟତା ଛାଡିବା ପରେ ଭାଜପାରେ ସାମିଲ ହୋଇ ଚର୍ଚ୍ଚାକୁ ପ୍ରମାଣିତ କରିଛନ୍ତି । ଏହିକ୍ରମରେ ଚର୍ଚ୍ଚା ହେଲାଣି ଯେ ଆହୁରି ୨ ୩ଜଣ ନେତା ବିଜେଡି ଛାଡିବାର ଘୋର ସମ୍ଭାବନା ରହିଛି। ଯାହା ଭାଜପା ବିଧାୟକ ଓ ନେତାଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ସୁଜିତ କୁମାର ରାଜ୍ୟ ସଭା ଓ ପରେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭାଜପାରେ ମିଶିଛନ୍ତି। ଏହାକୁ ନେଇ ଭାଜପା ରାଜ୍ୟ ସଭା ଏମପି ମମତା ମହାନ୍ତ କହିଛନ୍ତି, ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ହୁଏତ ସେମାନେ ଆଗକୁ ଭାଜପାକୁ ଆସିପାରନ୍ତି। କିଏ ଆସିବେ କିଏ ଯିବେ ତାହା ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାପାର। ଦେଢ଼ ବର୍ଷରୁ ଅଧିକ ସମୟ ହେବ ମୁଁ ଦଳ ଛାଡ଼ିବା ନେଇ ନିଷ୍ପତ୍ତି ନେଇଥିଲି ବୋଲି ମମତା କହିଛନ୍ତି। ତେବେ ଭାଜପା ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଏହି ମନ୍ତବ୍ୟ ଏବେ ବିଜେଡି ଶିବିରରେ ଲଗାଇଛି ନିଆଁ । ସେହିପରି ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ନେତାଙ୍କୁ କେହି ପଞ୍ଜୁରୀରେ ଆବଦ୍ଧ କରି ରଖିପାରିବେ ନାହିଁ । ଦଳକୁ ଯିଏ ଆସିବେ, ତାଙ୍କୁ ସ୍ବାଗତ କରାଯିବ । ଅନ୍ୟପଟେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ଲୋକଙ୍କ ଦଳ, ନେତା ଛାଡ଼ିଲେ କିଛି ପ୍ରଭାବ ପଡ଼ିବ ନାହିଁ।

Leave A Reply

Your email address will not be published.