ଶସ୍ତା ହେବ କ୍ୟାନସର ଔଷଧ; ଜିଏସ୍‌ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା

0

ନୂଆଦିଲ୍ଲୀ (ଆମ ଟିଭି): ସୋମବାର ଅନୁଷ୍ଠିତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି। ସେହିପରି ଲୁଣିଆ ଖାଦ୍ୟ ପଦାର୍ଥ (ନମ୍‌କିନ୍‌) ଉପରୁ ମଧ୍ୟ ୧୮% ଜିଏସ୍‌ଟିକୁ ୧୨%କୁ କମାଯାଇଛି। ଏଥିସହ ସ୍ବାସ୍ଥ୍ୟ ଓ ଜୀବନ ବୀମା ଉପରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ବହୁ ଦାବି ହେଉଥିବାବେଳେ ଏନେଇ ସୁପାରିଶ କରିବାକୁ କେତେକ ମନ୍ତ୍ରୀଙ୍କୁ ନେଇ ଏକ ଗୋଷ୍ଠୀ ମଧ୍ୟ କରାଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ଏହି ଗୋଷ୍ଠୀ ରିପୋର୍ଟ ଦେବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

୫୪ତମ ଜିଏସ୍‌ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଥିଲେ ଯେ କର୍କଟ ଭଳି ଗୁରୁତର ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଔଷଧ ଉପରୁ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି। ଫଳରେ କର୍କଟ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ। ଏଥିସହ ଖଟା ଓ ଲୁଣିଆ ଖାଦ୍ୟ ଉପରୁ ମଧ୍ୟ ୧୮% ଜିଏସ୍‌ଟିକୁ ୧୨%କୁ ହ୍ରାସ କରାଯାଇଛି। ସେହିପରି ଜିଏସ୍‌ଟି ଲାଗୁ ଫଳରେ ରାଜ୍ୟମାନେ ସହୁଥିବା କ୍ଷତି ଭରଣା ପାଇଁ ଥିବା କ୍ଷତିପୂରଣ ସେସ୍‌ ଅବଧି ୨୦୨୬ ମାର୍ଚ୍ଚରେ ଶେଷ ହେଉଥିବାରୁ ଏହାର ଦୃଷ୍ଟିକୋଣର ଯାଞ୍ଚ ଏବଂ ପୁନଃ ନିର୍ଦ୍ଧାରଣ କରିବା ପାଇଁ କେତେକ ମନ୍ତ୍ରୀଙ୍କୁ ନେଇ ଏକ ଗୋଷ୍ଠୀ କରାଯାଇଛି। ଏଥିସହ ସ୍ବାସ୍ଥ୍ୟ ଓ ଜୀବନ ବୀମା ଉପରେ ଜିଏସ୍‌ଟି ରିଆତି ନେଇ କେତେକ ମନ୍ତ୍ରୀଙ୍କୁ ନେଇ ଏକ ଗୋଷ୍ଠୀ କରାଯାଇଛି।

ଏହି ଗୋଷ୍ଠୀ ଅକ୍ଟୋବର ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବ ଓ ନଭେମ୍ବରରେ ଜିଏସ୍‌ଟି ପରିଷଦ ଏହା ଉପରେ ଶେଷ ନିଷ୍ପତ୍ତି ନେବ ବୋଲି ସୀତାରମଣ କହିଛନ୍ତି। ସେହିପରି ଡିଜିଟାଲ ଅର୍ଥ କାରବାର ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ୨ ହଜାରରୁ କମ୍ କାରବାର ପାଇଁ ପେମେଣ୍ଟ ଏଗ୍ରିଗେଟର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବାକୁ ପ୍ରସ୍ତାବ ଅଧିକ ସମୀକ୍ଷା ପାଇଁ ଫିଟମେଣ୍ଟ କମିଟିକୁ ପଠାଯାଇଛି। ଅନ୍ୟପକ୍ଷରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ହେଲିକପ୍ଟର ସେବା ଉପରେ ଜିଏସ୍‌ଟିକୁ ୧୮%ରୁ ୫%କୁ ହ୍ରାସ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ଏଥିସହ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପ ଉପରେ ଜିଏସ୍‌ଟି ପ୍ରସଙ୍ଗକୁ ମଧ୍ୟ ଫିଟମେଣ୍ଟ କମିଟି ସମୀକ୍ଷା କରିବ।

Leave A Reply

Your email address will not be published.