ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁର-କଟକ ଏନଏଚ-୫୫ ସଂପ୍ରସାରଣ ପାଇଁ କଲେ ଦାବି
ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି। ସମ୍ବଲପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ, ଖଣିଜ ଏବଂ ଆର୍ଥିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର-କଟକ ଏନଏଚ-୫୫ର ୬-ଲେନ୍ ସମ୍ପ୍ରସାରଣ ଓ ୪ଟି ଅଣ୍ଡରପାସ୍ ସହ ସମ୍ବଲପୁରରେ ଫ୍ଲାଇଓଭର ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଏବଂ ସହରାଞ୍ଚଳ ସହ ଯୋଡ଼ୁଥିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥ । ଏଠାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ୪-ଲେନ୍ ବିଶିଷ୍ଟ ରାଜପଥକୁ ୬-ଲେନ ସମ୍ପ୍ରସାରିତ କରିବା ସହ ଉଭୟ ପାର୍ଶ୍ୱରେ ଦୁଇ-ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ସହଜ ହେବ ଏବଂ ଦୁର୍ଘଟଣା ହ୍ରାସ ପାଇବ ।