ନୂଆଦିଲ୍ଲୀ(ଆମ ଟିଭି): ଚନ୍ଦ୍ରଯାନ ମିଶନକୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବା ପରେ ପୃଥିବୀକୁ ଫେରିବା ପାଇଁ ଜ୍ଞାନକୌଶଳ ବିକଶିତ ଓ ପ୍ରଦର୍ଶନ କରିବା ଏବଂ ଚନ୍ଦ୍ରରୁ ନମୁନା ସଂଗ୍ରହ କରି ପୃଥିବୀରେ ଏହାର ବିଶ୍ଳେଷଣ କରିବା ଉଦ୍ଦେଶ୍ୟରେ ଚନ୍ଦ୍ରଯାନ-୪ ନାମକ ଚନ୍ଦ୍ର ଅଭିଯାନକୁ ଅନୁମୋଦନ ମିଳିଛି ।
ଚନ୍ଦ୍ରଯାନ-୪ ଅଭିଯାନ ଶେଷରେ ଚନ୍ଦ୍ରରେ ଭାରତୀୟ ଅବତରଣ (୨୦୪୦ ମସିହା ସୁଦ୍ଧା ଯୋଜନା) ଏବଂ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିବା ପାଇଁ ମୌଳିକ ଜ୍ଞାନକୌଶଳ କ୍ଷମତା ହାସଲ କରିବ । ଡକିଂ/ଅନଷ୍ଟୋକିଂ, ଅବତରଣ, ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏବଂ ଚନ୍ଦ୍ର ନମୁନା ସଂଗ୍ରହ ଓ ବିଶ୍ଳେଷଣ ପାଇଁ ଆବଶ୍ୟକ ପ୍ରମୁଖ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବ।
୨୦୩୫ ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ (ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ) ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟଙ୍କୁ ଅବତରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଭାରତ ସରକାର ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତାରିତ ଦୃଷ୍ଟିକୋଣର ରୂପରେଖ ଦେଇଛନ୍ତି । ଏହି ସ୍ୱପ୍ନକୁ ସାକାର କରିବା ଲାଗି ଗଗନଯାନ ଏବଂ ଚନ୍ଦ୍ରଯାନର ପରବର୍ତ୍ତୀ ଅଭିଯାନ ପାଇଁ ପରିକଳ୍ପନା କରାଯାଇଛି ଯେଉଁଥିରେ ଆନୁସଙ୍ଗିକ ମହାକାଶ ପରିବହନ ଏବଂ ଭିତ୍ତିଭୂମି କ୍ଷମତାର ବିକାଶ ଅନ୍ତର୍ଭୁକ୍ତ ।