ଭୁବନେଶ୍ୱର (ଆମ ଟିଭି): ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା। ପୂର୍ବତନ ବିଜେଡି ବିଧାୟକ ରଘୁରାମ ପୋଡାଲ, ପ୍ରଫୁଲ ପାଙ୍ଗି, କୃଷ୍ଣ ସଗରିୟା, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ନିଜ ନିଜ ଦଳର କର୍ମୀଙ୍କୁ ନେଇ କୋରପୁଟ ନବରଙ୍ଗପୁର ଜାତୀୟ ରାଜପଥ, କୋରାପୁଟ-ମାଲକାନଗିରି ଜାତୀୟ ରାଜପଥ ଅବରୋଧ କରିଥିଲେ । ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ ଓ ମାଝୀଗୁଡା ଛକ ସମେତ ସହର ଭିତରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଥିଲେ।
ବିଜେଡି ଶାସନ କାଳରେ ଜୟପୁରର କଂଗ୍ରେସ ବିଧାୟକ ଏବଂ ପୂର୍ବତନ ବିଧାୟକ କୃଷ୍ଣ ସାଗରିୟା ବିଭିନ୍ନ ସମୟରେ ଏ ନେଇ ବିଧାନସଭାରେ ଦାବି ଉଠାଇଥିଲେ। 24 ବର୍ଷ ଭିତରେ ନା ବିଜେଡି ସରକାର ଦାବି ପୂରଣ କଲା ନା କଂଗ୍ରେସ ଜୋରଦାର ଆନ୍ଦୋଳନ କଲା। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଏବେ ସାମ୍ନାକୁ ଆସିଛି ବିଜେଡିର ଦୋମୁହାଁ ଚରିତ୍ର। କଂଗ୍ରେସ ସହ ମିଶି ଆନ୍ଦୋଳନକୁ ଓହ୍ଲାଇଛି 24 ବର୍ଷର ଶାସକ ଦଳ। ସରକାରରୁ ଯାଉ ଯାଉ ବିଜେଡିର ଏମିତି ୟୁଟର୍ଣ୍ଣକୁ କଡ଼ା ସମାଲୋଚନା କରିଛି ବିଜେପି। ଆନ୍ଦୋଳନରେ ସାମିଲ ହୋଇଥିବା ଯୁବକ ଯୁବତୀ ହିଁ ଖୋଲିଛନ୍ତି ବିଜେଡି ସରକାରର ପୋଲ୍। ବିଜେଡି ସମୟରେ ନିଯୁକ୍ତିରେ ହେଉଥିଲା ବ୍ୟାପକ ଅନିୟମିତତା। ନୂଆ ସରକାର ସେମାନଙ୍କ ଦାବି ପୂରଣ କରିବେ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ।