ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

0

ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଟଣାଓଟରା ଲାଗି ରହିଛି। ଏହିକ୍ରମରେ ଗୁରୁବାର ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳଓ୍ବନ୍ତରାୟ(ଜିତୁ) ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଜେନାପୁର ଥାନା ଅନ୍ତର୍ଗତ ୧୨ ନମ୍ବର ଜୋନ କୁରିକଣା ଗ୍ରାମକୁ ଲକ୍ଷ୍ମୀପୂଜା ନିମନ୍ତ୍ରଣ ପାଇ ଯାଇଥିଲେ। ସେଠାରୁ ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ଫେରିବାବେଳେ କୁରିକଣା ଛକ ନିକଟରେ ତାଙ୍କ ଗାଡି ଉପରକୁ ସମ୍ମୁଖ ପଟୁ କେତେକ ଦୁର୍ବତ୍ତ ଅଣ୍ଡା ମାଡ କରିଥିଲେ। ଏହାସହ ପୂର୍ବତନ ବିଧାୟକ ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡିଛି। ଏଭଳି ସ୍ଥିତିରେ ଜିତୁ ସ୍ଥାନ ଛାଡି ଚାଲିଯାଇଥିଲେ।

ଖବର ପାଇ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜେନାପୁର ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା। ତେବେ ଏଥିରେ କାହାରି କ୍ଷୟକ୍ଷତି ହୋଇ ନଥିଲେ ବି ଏହି ଘଟଣାକୁ ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଯାଜପୁର ଜିଲାରେ ଗତ ସାଧାରଣ ନିର୍ବାଚନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଥିଲା। ଏଥିରେ ୩ ଜଣ ବିଜେଡି, ୩ ଜଣ ଭାଜପା ଓ ଜଣେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ। ସ୍ବାଧୀନ ବିଧାୟକ ହିମାଂଶଶେଖର ସାହୁ(ଲିକୁ) ପରେ ଭାଜପାକୁ ସମର୍ଥନ କରିଥିଲେ। ଜିଲାର ଅନ୍ୟ କୌଣସି ନିର୍ବାଚନରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳି ନଥିବାବେଳେ ଧର୍ମଶାଳାରେ କାହିଁକି ନିୟମିତ ଭାବେ ଏଭଳି ପରିସ୍ଥିତି ଲାଗି ରହିଛି ସେ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.