ପାଣ୍ଡିଆନ୍‌ଙ୍କ ଗୁମର ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ

0

ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ ଥିବା ଓ ଅନ୍ୟ ଦଳକୁ ଯାଇଥିବା ବରିଷ୍ଠ ନେତାମାନେ ଜଣକ ପରେ ଜଣେ ବୟାନ ଦେଉଛନ୍ତି। ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆ ନ ଯାଉ ବୋଲି ପାଣ୍ଡିଆନ ଚାହୁଁଥିବା ସେ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାଟ୍ଟଶାଣୀ କହିଛନ୍ତି, ମୁଁ ସଂସଦରେ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲି। ଏହାପରେ ପାଣ୍ଡିଆନ ମୋତେ ଫୋନ କରି ସଂସଦରେ କାହିଁକି ପଚାରିଲି ବୋଲି ପଚାରିବା ସହ ତୁମର କ’ଣ ଦରକାର ଥିଲା, ତୁମେ କାହିଁକି ଏକଥା ଉଠାଇଲ ବୋଲି ମୋତେ କହିଥିଲେ।

 

କେବଳ ଏତିକି ନୁହେଁ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉରୀ ଗୀତା ମେହେଟ୍ଟାଙ୍କୁ ନେଇ ମଧ୍ୟ ପାଟ୍ଟଶାଣୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଗୀତା ମେହେଟ୍ଟାଙ୍କୁ ରାଜ୍ୟ ସଭା ପଠାଇବାକୁ ପାଣ୍ଡିଆନ ବିରୋଧ କରିଥିଲେ। ଥରେ ମୋତେ ପାଣ୍ଡିଆନ ଫୋନ କରି ତୁମେ କାହିଁକି ଗୀତାଙ୍କୁ ରାଜ୍ୟ ସଭା ପଠାଇବାକୁ କହୁଥିଲ ବୋଲି କହିଥିଲେ। ତାଙ୍କଠାରୁ ଏଭଳି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।

 

ସୂଚନାଯୋଗ୍ୟ, ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ଗଣମାଧ୍ୟମକୁ ସେ କହିଥିଲେ, ପାଣ୍ଡିଆନଙ୍କ ପାଇଁ ସେ ବିଜେଡି ଛାଡ଼ିଛନ୍ତି ।

ସେ ଥିବା ଯାଏ ବିଜେଡି କେବେ ଜିତିବନି। ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା। ମୁଁ ସ୍ପଷ୍ଟ ଭାବେ କହୁଛି ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ିଦେଲି। ତାଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା। ଯେ ପର୍ଯ୍ୟନ୍ତ ସେ ଥିବେ, ସେପର୍ଯ୍ୟନ୍ତ ବିଜେଡି ଆସିବନି। ଅମର ଶତପଥୀ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି। ଲୋକମାନେ ଥରେ ଫୋପାଡ଼ି ଦେଲେ ଦଳର ଅବସ୍ଥା କ’ଣ ହୁଏ, ସେ କଥା ସମସ୍ତେ ଦେଖିଲେ। ଦଳରେ ଥିଲାବେଳେ ମୁଁ ନବୀନ ବାବୁଙ୍କ ସହ ବୁଲୁଥିଲି। ତାଙ୍କ ପ୍ରତି ମୋର ଦୁର୍ବଳତା ରହିବା ସ୍ବାଭାବିକ। ମୁଁ ତାଙ୍କ ବିରୋଧରେ କେବେ କିଛି କହି ନାହିଁ କି ଏବେ ମଧ୍ୟ କହୁ ନାହିଁ। ଲୋକେ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି କହୁ ନାହାନ୍ତି। ସମସ୍ତେ ପାଣ୍ଡିଆନଙ୍କ ବିରୋଧରେ କହୁଛନ୍ତି ବୋଲି ପ୍ରସନ୍ନ କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ , ୨୦୨୪ରେ ବହୁ ଆଶା କରିଥିଲେ ମଧ୍ୟ ବିଜେଡି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ୍‌ ଦେଇ ନ ଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଭାଜପା ମୁହାଁ ହୋଇଥିଲେ ।

ନିର୍ବାଚନ ପ୍ରଚାର ବେଳେ ଭାଜପା ଉତ୍ତରୀୟ ପିନ୍ଧିଥିଲେ। ପରେ ଦିଲ୍ଲୀ ଯାଇ ଭାଜପାରେ ମିଶିଥିଲେ।

Leave A Reply

Your email address will not be published.