ମୋଦି ସରକାର ଇତିହାସର ପୁନଃରଚନା କରିବା ଦିଗରେ ନୁହେଁ ବରଂ ଶ୍ରୀବୃଦ୍ଧି କରିବାକୁ ଚାହୁଁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର(ଆମ ଟିଭି) : ରବିବାର ଭୁବନେଶ୍ୱର ରେଳ ଷ୍ଟେସନରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଆୟୋଜିତ ହୋଇଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ପ୍ରଦର୍ଶନୀକୁ ଶ୍ରୀ ପ୍ରଧାନ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ କହିଛନ୍ତି ମୋଦି ସରକାର ଇତିହାସର ପୁନଃରଚନା କରିବା ଦିଗରେ ନୁହେଁ ବରଂ ଶ୍ରୀବୃଦ୍ଧି କରିବାକୁ ଚାହୁଁଛନ୍ତି । ଇତିହାସ ପୃଷ୍ଠାରେ ଅନାଲୋଚିତ ବୀର ସଂଗ୍ରାମୀଙ୍କୁ ଲିପିବଦ୍ଧ କରିବାକୁ ପ୍ରଚେଷ୍ଟାରତ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଯେଉଁମାନଙ୍କ ତ୍ୟାଗ ତପସ୍ୟା ବଳରେ ଆମକୁ ସ୍ୱତନ୍ତ୍ରତା ମିଳିଲା ସେମାନଙ୍କୁ ଇତିହାସ ପୃଷ୍ଠାରୁ ବଞ୍ଚିତ କରି ଦିଆଗଲା । ସ୍ୱାଧୀନତା ସଂଗ୍ରାମୀ ସହିଦ୍‌ ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇ, ମାଧୋ ସିଂହ, ନିର୍ମଳ ମୁଣ୍ଡାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଇତିହାସ ପୃଷ୍ଠାରେ ସଗୌରବେ ଲିପିବଦ୍ଧ କରିବା ପାଇଁ ମୋଦି ସରକାର ଅଣ୍ଟା ଭିଡ଼ିଛନ୍ତି ।

ସେହିପରି ଓଡ଼ିଶାର ଆମ୍‌କୋ ସିମ୍‌କୋ ଗୁଳିକାଣ୍ଡ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡଠାରୁ କିଛି କମ୍‌ ନୁହଁ । ତେଣୁ କେନ୍ଦ୍ର ସରକାର ଇତିହାସକୁ ପୁନଃରଚନା କରିବାରେ ଲାଗିନାହାନ୍ତି, ବରଂ ଇତିହାସ ପୃଷ୍ଠାରେ ଅଜଣା ନାୟକଙ୍କୁ ସ୍ଥାନ ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ବିଭାଜନ ବିଭୀଷିକା ସ୍ମୃତି ଦିବସ ବିଷୟରେ କହିଛନ୍ତି, ୧୯୪୭ ଅଗଷ୍ଟ ୧୪ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସାର ସ୍ଥିତି ଯେଉଁ ରୂପ ନେଇଥିଲା ଏବେ ତାହାକୁ ମନେ ପକାଇବା ଉଚିତ୍‌ । ଆମ ପୂର୍ବଜଙ୍କ ବଳିଦାନ, ତ୍ୟାଗ, ସମର୍ପଣ ଭାବକୁ ଦେଶ ଭୁଲିଗଲେ ସମାଜ ପଥଭ୍ରଷ୍ଟ ହୋଇପାରେ । ତେଣୁ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୪ ତାରିଖକୁ “ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ କହିଛନ୍ତି । କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ ଏବଂ ଶ୍ୟାମ ସୁନ୍ଦର ବେହେରାଙ୍କୁ ତ୍ରିରଙ୍ଗା ଦେଇ କେନ୍ଦ୍ରମନ୍ତ୍ରୀ ସମ୍ମାନିତ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପ୍ରଦାନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଯୁବସମାଜ ବିଭାଜନ ସମୟର ଦୁଖଦଃ ବିଭୀଷିକା ସମ୍ୱନ୍ଧରେ ଜ୍ଞାନ ଆହରଣ କରିବା ଏହି ଦିବସ ପାଳନର ମୁଖ୍ୟ କାରଣ । ଭୁବନେଶ୍ୱର, ପୁରୀ, ସମ୍ୱଲପୁର, ବିଶାଖାପାଟଣା ରେଳ ଷ୍ଟେସନ ସମେତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୩୭ଟି ରେଳ ଷ୍ଟେସନରେ ବିଭାଜନ ଭୟାବହତା ଉପରେ ପ୍ରଦର୍ଶନୀ ଆୟୋଜିତ କରାଯାଇଛି ।

Leave A Reply

Your email address will not be published.