ସରିଲା ଲାଲୁଙ୍କ ଯୁଗ, ଆର୍‌ଜେଡିର ମଙ୍ଗ ଧରିବେ ତେଜସ୍ବୀ

0

ପାଟନା (ଆମ ଟିଭି): ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ରେ ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ପ୍ରତିଷ୍ଠାତା ତଥା ଦୀର୍ଘଦିନ ଧରି ଏହାର ଅଧ୍ୟକ୍ଷ ରହିଥିବା ଲାଲୁପ୍ରସାଦ ଯାଦବ ଆନୁଷ୍ଠାନିକ ଭାବେ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ନେତୃତ୍ୱ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେଜସ୍ବୀ ଏବେ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଆର୍‌ଜେଡି ଜାତୀୟ କାର୍ଯ୍ୟକାରିଣୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳ ସମ୍ପର୍କିତ ସମସ୍ତ ବଡ଼ ନିଷ୍ପତ୍ତି ନେବାର କ୍ଷମତା ଉଭୟ ଲାଲୁ ଏବଂ ତେଜସ୍ବୀଙ୍କୁ ଦିଆଯାଇଛି। ଏପରିକି ସେମାନେ ଚାହିଁଲେ ଦଳର ନଁା ଓ ଚିହ୍ନ ମଧ୍ୟ ବଦଳାଇପାରିବେ।

ଏହି ନିଷ୍ପତ୍ତିରୁ ତେଜସ୍ବୀ ଲାଲୁଙ୍କ ରାଜନୈତିକ ଉତ୍ତରାଧିକାରୀ ହେବା ଏବଂ ଦଳ ମଧ୍ୟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଥିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଲାଲୁ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତେଜସ୍ବୀ ବଡ଼ ଦାୟିତ୍ୱ ଗ୍ରହଣ କରିବେ ବୋଲି ଘୋଷଣା କରିବା ସହ ଦଳ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଥିଲେ। ଦଳୀୟ ସମ୍ବିଧାନରେ ସଂଶୋଧନ କରାଯାଇ ଲାଲୁଙ୍କ ସହ ତେଜସ୍ବୀଙ୍କୁ ନିଷ୍ପତ୍ତି ନେବାର ସମାନ ଅଧିକାର ପ୍ରଦାନ କରାଯାଇଛି। ସାଂଗଠନିକ ନିର୍ବାଚନ ତଦାରଖ କରିବାକୁ ଆର୍‌ଜେଡି ନେତା ରାମଚନ୍ଦ୍ର ପୂର୍ଭେଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.