ଗାଜିପୁର ବର୍ଡରୁ ରାକେଶ ଟିକାୟତ ଗିରଫ
ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ଗାଜିପୁର ବର୍ଡରୁ ଗିରଫ ହେଲେ ଭାରତୀୟ କିଷାନ ସଙ୍ଗଠନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ । ଚୌଧୁରୀ ରାକେଶ ଟିକାୟତଙ୍କ ଗିରଫ ପରେ ସଙ୍ଗଠନର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ ରହିବାକୁ କୁହାଯାଇଛି। କିଷାନ ସଙ୍ଗଠନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତଙ୍କୁ ଆଜି ଅପରାହ୍ନରେ ଗିରଫ କରାଯାଇଛି। ତାଙ୍କୁ ଥାନାରେ ପୁଲିସ ଅଟକ ରଖିଛି। ତେବେ ଏହାକୁ ନେଇ ପଶ୍ଚିମ ଉତ୍ତରପ୍ରଦେଶରେ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କୁହାଯାଉଛି ଯେ କାର୍ଯ୍ୟକର୍ତ୍ତାଙ୍କୁ ରାକେଶ ଟିକାୟତଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ଟିକାୟତଙ୍କ ଅନ୍ୟ କିଛି କାର୍ଯ୍ୟକର୍ତ୍ତା ମଧ୍ୟ ଥାନାରେ ଅଟକ ଅଛନ୍ତି।
ସୂଚନା ଥାଉକି ରାକେଶ ଟିକାୟତ ଦିଲ୍ଲୀ ଜନ୍ତର-ମନ୍ତରରେ ଚାଲୁଥିବା ବେରୋଜଗାର ଧାରଣାରେ ସାମିଲ ହେବା ପାଇଁ ଯାଉଥିଲେ। ଏହି ସମୟରେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ଏହାସହ ଭାରତୀୟ କିଷାନ ସଙ୍ଗଠନର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ।