ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

0

(ଆମ ଟିଭି): ମିଆଁମାର ଥାଇଲାଣ୍ଡ ପରେ ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋର ପ୍ରାୟ ୩ଟାରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ପାଖାପାଖି ୪.୩ ରହିଛି । ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଏହାପୂର୍ବରୁ ଗତକାଲି ବେଲୁଚିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଇଦ୍ ଦିନ କରାଚୀରେ ହୋଇଥିବା ଭୂମିକମ୍ପର କିଛି ଘଣ୍ଟା ପରେ ଏହି ଭୂମିକମ୍ପ ଆସିଥିଲା, ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । USGS ଅନୁଯାୟୀ, ବେଲୁଚିସ୍ତାନର ବାରଖାନ ଜିଲ୍ଲାରେ ହୋଇଥିବା ଭୂମିକମ୍ପର ତୀବ୍ରତା ୩.୯ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୨ କିଲୋମିଟର ଗଭୀରରେ ଅବସ୍ଥିତ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାରଖାନରୁ ଉତ୍ତର-ପଶ୍ଚିମରେ ୫୯ କିଲୋମିଟର ଦୂରରେ ଥିଲା। ତଥାପି, ଭୂମିକମ୍ପଗୁଡ଼ିକ ମୃଦୁ ଥିବାରୁ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।

କରାଚୀରେ ୪.୭ ତୀବ୍ରତାର ଭୂମିକମ୍ପ

ଇଦ୍ ଦିନ ମଧ୍ୟ ପାକିସ୍ତାନର କରାଚୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ କରାଚୀରେ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୭ ଥିଲା। ଏହାର କେନ୍ଦ୍ର ସହରରୁ ୭୫ କିଲୋମିଟର ଉତ୍ତରରେ ଅବସ୍ଥିତ ଥିଲା। USGS ଅନୁଯାୟୀ, ଏହି ଭୂମିକମ୍ପର ପ୍ରକୃତ ତୀବ୍ରତା ୪.୬ ଥିଲା। ଏହାର କେନ୍ଦ୍ରସ୍ଥଳ ବେଲୁଚିସ୍ତାନର ପୂର୍ବ-ଦକ୍ଷିଣପୂର୍ବରେ ୬୫ କିଲୋମିଟର ଦୂରରେ ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ।

୨୭୦୦ ଲୋକଙ୍କ ମୃତ୍ୟୁ 

ଗତ ସପ୍ତାହରେ ମିଆଁମାରରେ ହୋଇଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୭୦୦ ରୁ ଅଧିକ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଭୂକମ୍ପରେ ଅନେକ କୋଠା ଭୁଷୁଡି ପଡିଥିବା ବେଳେ ଭଗ୍ନାବଶେଷରେ ଅନେକ ପୋତି ହେଇରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରୀ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି ।

୪୪୧ ଜଣଙ୍କର ମିଳୁନି ପତ୍ତା  

ଏକ ରିପୋର୍ଟ ଅନୁଯାୟୀ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୨,୭୧୯ ଜଣଙ୍କର ମୃତ୍ୟୁ ହୋଇଛି ଯେତେବେଳେ ୪,୫୨୧ ଜଣ ଆହତ ହୋଇଛନ୍ତି ଏବଂ ୪୪୧ ଜଣ ନିଖୋଜ ଅଛନ୍ତି । ମିଆଁମାରରେ ହୋଇଥିବା ଭୂମିକମ୍ପ ଯୋଗୁ ଅନେକ ଅଞ୍ଚଳ ବିଦ୍ୟୁତ୍, ଟେଲିଫୋନ୍ କିମ୍ବା ମୋବାଇଲ୍ ଫୋନ୍ ସଂଯୋଗ ନଷ୍ଟ ହେଇଯାଇଛି ଏବଂ ରାସ୍ତା ଏବଂ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା କଷ୍ଟକର ହୋଇପଡ଼ିଛି ।

Leave A Reply

Your email address will not be published.