ଆସନ୍ତାକାଲି ମକ୍ଡ୍ରିଲ୍, ଦିନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍
ରାଜ୍ୟରେ ମକ୍ଡ୍ରିଲ୍ ନେଇ ଗୃହ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ସରିବା ପରେ ଯୁଦ୍ଧ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଡିଜିଙ୍କ କହିବାନୁସାରେ, ବୁଧବାର ଅପରାହ୍ନ ୪ଟାରେ ମକ୍ଡ୍ରିଲ ସାଇରନ୍ ବାଜିବ। ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ପର୍ଯ୍ୟାୟ ବୁଧବାର ଉପକୂଳବର୍ତ୍ତୀ ଜିଲା ଓ ସହରାଞ୍ଚଳରେ ମକ୍ଡ୍ରିଲ୍ କରାଯିବ। ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ସେ ବିଷୟରେ ଲୋକଙ୍କୁ ସଚେତନ କରାଯିବ। ପ୍ରାୟ ୫ ମିନିଟ୍ ଧରି ସାଇରନ୍ ବାଜିବ ଏବଂ ମକ୍ ଡ୍ରିଲ୍ ଆରମ୍ଭ ହେବ। ପୁଣି ସାଇରନ୍ ବାଜିଲେ ମକ୍ଡ୍ରିଲ୍ ଶେଷ ହେଲା ବୋଲି ଜଣାପଡ଼ିବ। ଏଥିରେ ସାଧାରଣତଃ କଂକ୍ରିଟ୍ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। ଏଥିସହ ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା କରାଯିବ।