୫ମ ଷ୍ଟାର ଓଡିଆ ଫିଲ୍ମ୍ ଆଓ୍ବାଡର୍ସ ହେଲା ସିଙ୍ଗାପୁରରେ

0

ଭୁବନେଶ୍ୱର (ଆମ ଟିଭି): ଆର୍‌ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକସନ୍ସ ପ୍ରଯୋଜିତ ୫ମ ଷ୍ଟାର୍ ଓଡ଼ିଆ ଫିଲ୍ମ ଆୱାର୍ଡସ୍‌-୨୦୨୫ ସିଜନ୍-୬ ସିଙ୍ଗାପୁର ଓଡ଼ିଆ ସମାଜ ସହାୟତାରେ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାତୀୟ ପୁରସ୍କାରପ୍ରାପ୍ତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କୁ ଲାଇଫ୍‌ଟାଇମ୍ ଆଚିଭମେଣ୍ଟ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି।

ଚଳିତ ଥର ମୋଟ୍ ୩୨ଟି ବର୍ଗରେ ବିଭିନ୍ନ ଷ୍ଟାର୍‌ମାନଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ‘ପାବର୍’ ଏବଂ ଏହି ସିନେମା ଲାଗି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଅଶୋକ ପତି, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଅଭିନେତା ବାବୁସାନ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ପାବାର ଫିଲ୍ମ ପାଇଁ ଶ୍ରେଷ୍ଠ ନାୟକ ଓ‌ ନାୟିକା‌ ସମେତ ଭିନ୍ନ ଭିନ୍ନ ପ୍ରତିଭାଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି। ବେଷ୍ଟ ପରଫର୍ମର ଅଫ ଦ ଇୟର ପୁରୁଷ‌ ବିଭାଗରେ ଆକାଶ ଦାସ ନାୟକ, ବେଷ୍ଟ ପରଫର୍ମର ଅଫ ଦ ଇୟର ମହିଳା ବିଭାଗରେ ପୁନମ ମିଶ୍ର, ଓଲିଉଡ଼ ଦିଭା ଶୀତଲ ପାତ୍ର, ଆଉଟଷ୍ଟାଣ୍ଡିଙ୍ଗ ପରଫର୍ମର ସମ୍ମାନ ବରିଷ୍ଠ ଅଭିନେତ୍ରୀ ମହାଶ୍ଵେତା ରାୟଙ୍କୁ ମିଳିଛି l

କାର୍ଯ୍ୟକ୍ରମରେ ଅତିଥି ଭାବରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ, ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ବିଧାୟକ ପ୍ରଶାନ୍ତ ଜଗଦେବ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କିଶୋର ଦ୍ବିବେଦୀ, ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ସ୍ୱଦୀପ ଛୋଟରାୟ, ଆର୍‌ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକସନ୍ସ ମୁଖ୍ୟ ତଥା ପ୍ରଯୋଜକ ରମେଶ ବାରିକ, ସିଙ୍ଗାପୁର ଓଡ଼ିଆ ସମାଜ ସଭାପତି ସୁବ୍ରତ ନାୟକ, ସମ୍ପାଦକ ହେମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବହୁ ଲୋକପ୍ରିୟ କଳାକାର ଯୋଗ ଦେଇଥିଲେ। ଏହି ଆଓ୍ବାର୍ଡ ଉତ୍ସବ ପୂର୍ବଥର ଦୁବାଇରେ ହୋଇଥିଲା। ଏଥର ସିଙ୍ଗାପୁରରେ ହୋଇଛି ଆସନ୍ତା ବର୍ଷ ଲଣ୍ଡନରେ ହେବ ବୋଲି ଆୟୋଜକ ଅନୁଷ୍ଠାନ ପକ୍ଷରୁ ଘୋଷଣା ହୋଇଥିବା ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.