ରାହୁଲ ଗାନ୍ଧୀ ହିଁ ହେବେ କଂଗ୍ରେସ ସଭାପତି; ହରିଶ ରାୱତ
ନୂଆଦିଲ୍ଲୀ(ଆମ ଟିଭି): ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି। ଅକ୍ଟୋବର ୧୭ରେ ଦଳର ନୂତନ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହା ସହ ଅକ୍ଟୋବର ୧୯ରେ ଭୋଟ ଗଣନା ହେବ। ମତଦାନ ତାରିଖ ଘୋଷଣା ପରେ ଏବେ ଦଳର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଶୀଘ୍ର କଂଗ୍ରେସ ସଭାପତି ହେବେ। ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ରାହୁଲଜୀ କଂଗ୍ରେସର ସଭାପତି ହେବେ। ଦଳର ସମସ୍ତ କର୍ମୀ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନୁରୋଧ କରିଛୁ। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ପରେ ଦଳ ଏକ ଦଳର ନୂତନ ସଭାପତି ଚୟନ କରିବାକୁ ନିଷ୍ପତ୍ତି ନେଇଛି। ଦଳର ସଭାପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି।
କାର୍ଯ୍ୟସୂଚୀ ଅନୁଯାୟୀ, ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ଜାରି କରାଯିବ। ସେପ୍ଟେମ୍ବର ୨୪ରୁ ନାମାଙ୍କନ ପତ୍ର ଦାଖଲ କରାଯିବା ପ୍ରକ୍ରିୟା ଆରମ୍ଭ ହେବ ସେପ୍ଟେମ୍ବର ୩୦ରେ ଏହା ଶେଷ ହେବ। ଏହା ପରେ ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଭୋଟ୍ ଗଣନା କରାଯିବ। ତେବେ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, ରାହୁଲ ଗାନ୍ଧିଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବାପାଇଁ ବାଧ୍ୟ କରାଯିବ।