ଜୀ-ସାର୍ଥକ ଓ ଓଡ଼ିଶାର ନମ୍ବର ୱାନ୍ ମେଗା ଧାରାବାହିକ ‘ସୁନା ଝିଅ’ ୧୦୦୦ତମ ଏପିସୋଡର ମାଇଲିଖୁଣ୍ଟ ଅତିକ୍ରମ କରିଲା
ଭୁବନେଶ୍ୱର (ଆମ ଟିଭି): ଜୀ-ସାର୍ଥକର ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ ଓଡ଼ିଶାର ଅଗଣିତ ଦର୍ଶକଙ୍କ ଅହେତୁକ ଭଲ ପାଇବା ଯୋଗୁଁ ଏବେ ଜୀ-ସାର୍ଥକ ଚାନେଲ୍ ରେ ପ୍ରତ୍ୟେକ ସୋମବାର ରୁ ଶନିବାର ସନ୍ଧ୍ୟା ୭ଟା ୩୦ରେ ପ୍ରସାରିତ ହୋଇ ଟେଲି ଦୁନିଆରେ ଧମାଲ କରୁଥିବା ବେଳେ ସଫଳତାର ସହ ୧୦୦୦ତମ ଏପିସୋଡରେ ପହଞ୍ଚିଛି । ଗତ ୩ ବର୍ଷ ଧରି ଜୀ-ସାର୍ଥକରେ ପ୍ରସାରିତ ଏହି ମେଗା ଧାରାବାହିକ ଆସନ୍ତା ୧୮ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଛୁଇଁଚି ୧୦୦୦ତମ ଏପିସୋଡର ମାଇଲଖୁଣ୍ଟ । ଓଡ଼ଶାର ଟେଲିଭିଜନ ଦୁନିଆରେ ମେଗା ଧାରାବାହିକ ସମୂହ ମଧ୍ୟରେ ‘ସୁନାଝିଅ’ ଏକ ନୂତନ ଇତିହାସ ସୃଷ୍ଟି କରିବା ସହ ଆଗକୁ ବଢି ଚାଲିଛି, ଯେଉଁଥି ପାଇଁ ‘ସୁନା ଝିଅ’ର ପୁରା ଟିମ ନିଜର ସମସ୍ତ ଦର୍ଶକଙ୍କୁ ଦେଇଛନ୍ତି ଧନ୍ୟବାଦ ଓ ଅନୁରୋଧ କରିଛନ୍ତି ଏହି ଐତିହାସିକ ଏପିସୋଡ ସହିତ ଯୋଡିହେବା ପାଇଁ ।

ନାରୀର ସୃଜନଶୀଳତା ଓ ଅଦମ୍ୟ ସାହସକୁ ସମ୍ମାନ ଦେଇ ଆସୁଥିବା ଜୀ-ସାର୍ଥକ ‘ସୁନାଝିଅ’ର କାହାଣୀ ମଧ୍ୟ ସେହି ପରି । ଆରମ୍ଭ ହୋଇଥିଲା ଆମ ଓଡିଆ ଘରର ଏକ ନିଚ୍ଛକ କାହାଣୀକୁ ନେଇ । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ୱପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହୋଇଛି ତେବେ ଗତବର୍ଷ ଡିସେମ୍ବର ୧୭ ତାରିଖରେ ଶେଷ ହୋଇଥିଲା କାହାଣୀର ପ୍ରଥମ ସୋପାନ ଯେଉଁଥିରେ ଦର୍ଶକ ଦେଖିଥିଲେ ପ୍ରିୟା ଓ ବିଷ୍ଣୁଙ୍କ ସଫଳ ଦାମ୍ପତ୍ୟ ଜୀବନରେ ଆସିଥିଲେ ଦୁଇ ଝିଅ ଅଂଶୁ ଓ ବଂଶୁ । ଦ୍ବିତୀୟ ସୋପାନରେ ବିଷ୍ଣୁଙ୍କ ମୃତ୍ଯୁ ହୋଇଥିବା ବେଳେ ନିଜ ଦୁଇ ଝିଅଙ୍କ ସହ ଆଗକୁ ବଢିଥିଲେ ପ୍ରିୟା । ଏହି ଐତିହାସିକ ୧୦୦୦ତମ ଏପିସୋଡ ପର ଠାରୁ ଆରମ୍ଭ ହେଉଛି କାହାଣୀର ତୃତୀୟ ସୋପାନ ଯେଉଁଥିରେ ନିଜ ଝିଅକୁ ଅସୁବିଧାରୁ ବଞ୍ଚାଇବାକୁ ପୁଣି ଆଗକୁ ଆସିଛନ୍ତି ପ୍ରିୟା ଓ କାହାଣୀରେ ଆସିଛି ଏକ ନୂଆ ମୋଡ଼ ।

ତେବେ କାହାର ପ୍ରେମ, କାହାର ବନ୍ଧୁତା ଓ କାହାର ବଳିଦାନ ଦେଖିବା ଏହି ସୁପରହିଟ ପାରିବାରିକ ଓ ଓଡ଼ିଶାର ନମ୍ବର ୱାନ୍ ମେଗା ଧାରାବାହିକରେ । ଧାରାବାହିକରେ ପ୍ରମୁଖ ଭୂମିକାରେ ଅଛନ୍ତି ସମ୍ଭବ ମାନସିଂହ, ଅଙ୍କିତା ମିଶ୍ର, ଶ୍ଵେତା ଆଚାର୍ଯ୍ୟ ଓ ଅନ୍ୟମାନେ l ସଂଳାପ ରଚନା କରିଛନ୍ତି ଶ୍ରୀହର୍ଷ କର, ନିର୍ଦ୍ଦେଶନା ଦେଉଛନ୍ତି ଗୌରୀଶଙ୍କର ଦାସ ଓ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅକ୍ଷୟ ପରିଜା।

ଓଡିଆ ମନୋରଂଜନ କ୍ଷେତ୍ରରେ ସବୁବେଳେ ଆଗୁଆ ଜୀ-ସାର୍ଥକ ର ‘ସୁନାଝିଅ’କୁ ସବୁବେଳେ ନମ୍ବର ୱାନ୍ କରୁଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରରର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ ।