ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି ବିଜେପି । ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ। ଏଥିପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ। ବନ୍ୟା ପରିଚାଳନାରେ ସମନ୍ୱୟ ରହି ନଥିବା କହି ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛି ରାଜ୍ୟ ବିଜେପି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବନ୍ୟା ଜଳ ପରିଚାଳନାରେ ରାଜ୍ୟ ସରକାର ଅକ୍ଷମ ହୋଇଛନ୍ତି।
ଚଳିତ ବର୍ଷର ବନ୍ୟା ଏକ ମନୁଷ୍ୟକୃତ ବନ୍ୟା ଥିଲା। ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବର୍ଷକୁ ଦୁଇ ଥର ସମନ୍ୱୟ ବୈଠକ ବସେ। ପ୍ରି-ମନ୍ସୁନ୍ ବେଳେ ଏହି ବୈଠକ ବସେ। ଯେଉଁଥିରେ ବନ୍ୟାଜଳ ପରିଚାଳନା ନେଇ ଆଲୋଚନା ହୁଏ। କିନ୍ତୁ ୩-୪ ବର୍ଷ ହେଲା ବୈଠକ ବସିନାହିଁ।
ସେ କହିଛନ୍ତି, ହୀରାକୁଦ ରୁଲକ୍ର୍ଭ ପାଳନ ହୋଇନାହିଁ। ପ୍ରଥମେ ଇଆଇସି କହିଲେ ବନ୍ୟା ହେବନି, ପରେ ମନ୍ତ୍ରୀ କହିଲେ ଛୋଟ ବନ୍ୟା ହେବ।
ତା’ପରେ ଦୁଇ ଦିନ ପରେ ଏସଆରସି କହିଲେ ବଡ଼ ବନ୍ୟା ଆସୁଛି। ଏହା ହିଁ ବନ୍ୟା ପରିଚାଳନା ପାଇଁ ସମନ୍ୱୟ ନଥିବା ଦର୍ଶାଉଛି। ଲୋକେ ପ୍ରସ୍ତୁତ ନଥିଲେ। ତା’ଠାରୁ ଅଧିକ ଅପ୍ରସ୍ତୁତ ଥିଲେ ରାଜ୍ୟ ସରକାର। ବନ୍ୟା ମୁକାବିଲାରେ ରାଜ୍ୟ ସରକାର ପୂରା ବିଫଳ ହୋଇଛନ୍ତି।