ଭୁବନେଶ୍ବର (ଆମ ଟିଭି): ନିକଟରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହା ଏକ ସୌଜନ୍ୟ ସାକ୍ଷାତ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ନବୀନଙ୍କ ସହିତ ଦିଲ୍ଲୀପଙ୍କ ସଂପର୍କ ଭଲ ନ ଥିବା ବେଳେ ତାଙ୍କୁ ନବୀନ କିପରି ଭେଟିଲେ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏହି ଭେଟଘାଟକୁ ନେଇ ଯେଉଁ ବଡ ଚର୍ଚ୍ଚା ହେଉଛି ତାହା ହେଲା ଦିଲ୍ଲୀପ ରାଜ୍ୟସଭାକୁ ଯିବେ। ଆସନ୍ତା ରାଜ୍ୟସଭା ନିର୍ବାଚନରେ ସେ ପ୍ରାର୍ଥୀ ହେବେ। ସେଥିପାଇଁ ନବୀନଙ୍କ ସହିତ ସଂପର୍କ ରଖିବାକୁ ସେ ବାଧ୍ୟ ହୋଇ ଆସିଛନ୍ତି।
ଆସନ୍ତା ବର୍ଷ ଓଡିଶାରୁ ଚାରିଟି ରାଜ୍ୟସଭା ଆସନ ଖାଲି ହେଉଛି। ସେମାନେ ହେଲେ ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଜିତ କୁମାର ଏବଂ ମମତା ମହନ୍ତ। ହେଲେ ବିଧାନସଭା ଆସନ ହିସାବରେ ବିଜେପି କେବଳ ଦୁଇଜଣଙ୍କୁ ଜିତାଇବାର କ୍ଷମତା ରହିଛି। ଅନ୍ୟ ଦୁଇ ଆସନରୁ ବିଜେଡି ଗୋଟିଏ ଜିତାଇପାରିବ। ହେଲେ ଶେଷ ଆସନଟି ଜିତିବା ପାଇଁ କୌଣସି ଦଳର ପୂର୍ଣ୍ଣ କ୍ଷମତା ନାହିଁ।
ବର୍ତ୍ତମାନ ବିଜେଡିର ସଂଖ୍ୟା ହେଲା 51 ବିଧାୟକ। ଏମାନେ ଜଣେ ପ୍ରାର୍ଥୀଙ୍କୁ ଜିତାଇ ପାରିବା କ୍ଷମତା ରହିଛି। ଜଣେ ପ୍ରାର୍ଥୀ ବିଜେଡି ବିଧାୟକ 30 ଖଣ୍ଡ ଭୋଟ ଦେବା ପରେ ଏମାନଙ୍କ ପାଖରେ ଆଉ 21 ଟି ଭୋଟ ବଳକା ରହିବ। ଫଳରେ ଏମାନେ ମଧ୍ୟ ଆଉ ଜଣେ ପ୍ରାର୍ଥୀଙ୍କୁ ଜିତାଇବା ସମ୍ଭବ ହେବ ନାହିଁ। ଏପରି କ୍ଷେତ୍ରରେ କଂଗ୍ରେସ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। କଂଗ୍ରେସର 14 ଜଣ ବିଧାୟକ ଏବଂ ବିଜେଡିର 21 ବିଧାୟକ ଶେଷ ପ୍ରାର୍ଥୀଙ୍କୁ ଜିତାଇପାରିବେ।
ଏ ନେଇ ବିଜେପି ବିଜେଡିର ଶୀର୍ଷ ନେତୃତ୍ବ ଅଙ୍କ କଷି ସାରିଲେଣି। ଶେଷ ପ୍ରାର୍ଥୀ ଏପରି ଜଣେ ହେବା ଆବଶ୍ୟକ ଯିଏ ଉଭୟ କଂଗ୍ରେସ ଏବଂ ବିଜେଡି ସହିତ ସମନ୍ବୟ ରଖିପାରିବ। ତେବେ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀପ କୁଆଡେ ତୃତୀୟ ପ୍ରାର୍ଥୀ ହେବେ ସେଥିପାଇଁ ବିଜେଡି ସହିତ ସଂପର୍କ ରଖିବା ଆରମ୍ଭ କରିଛନ୍ତି। କାରଣ ତୃତୀୟ ପ୍ରାର୍ଥୀ ପାଇଁ ବିଜେପି ବିଜେଡିର ନିଶ୍ଚିତ ସହାୟତା ନେବ।