ନେପାଳ ଜେଲରୁ ଫେରାର ହେଉଥିବା କଏଦୀ ଉପରେ ଗୁଳିମାଡ଼, ୨ ମୃତ, ୧୦ ଆହତ

0

ନେପାଳ(ଆମ ଟିଭି): ନେପାଳରେ ଉତ୍ତେଜନା ଥମିବାରେ ନାଁ ଧରୁନି । ରାଜନୈତିକ ଅସ୍ଥିରତା ଲାଗି ରହିଛି । ନେପାଳର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ ହଜାରରୁ କଏଦୀ ଜେଲରୁ ଖସି ପଳାଇଛନ୍ତି । ଆଉ ଜେଲରୁ ଫେରାର ହେଉଥିବା କଏଦୀଙ୍କ ଉପରେ ଗୁଳିମାଡ଼ ହୋଇଛି । ଯେଉଁଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନେପାଳର ରାମେଛାପରେ ଜେଲରୁ କଏଦୀମାନେ ଖସିଯିବାକୁ ଚେଷ୍ଟା କରିଥିଲେ । ସେନା ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସେନା ସହିତ ଗୁଳିମାଡ଼ର ୧୦ରୁ ଅଧିକ ଆହତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କେପି ଶର୍ମା ଇସ୍ତଫା ଦେବା ପରେ ସେନା ହାତକୁ ନେପାଳର ଶାସନ କ୍ଷମତା ଯାଇଛି । ଏହାପରେ ସେନାର ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି । ପୂର୍ବରୁ SSB କାଠମାଣ୍ଡୁ ଜେଲ ଭାଙ୍ଗି ପଳାଇଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ ଧରିଥିଲା । ଏହି ବ୍ୟକ୍ତି ସୁନା ଚୋରା ଚାଲାଣ ଅଭିଯୋଗରେ ନେପାଳରେ ପାଞ୍ଚ ବର୍ଷ ପାଇଁ ଜେଲରେ ବନ୍ଦୀ ଥିଲେ । ବିହାର-ନେପାଳ ସୀମାର ରକ୍ସୌଲ ସୀମାର ସୁରକ୍ଷାରେ ନିୟୋଜିତ SSBର ୪୭ତମ ବାଟାଲିୟନ ଜଣେ ବାଂଲାଦେଶୀ ନାଗରିକ ମହମଦ ଅବୁଲ ହାସନ ଧାଲିଙ୍କୁ ଅଟକ ରଖିଛି ।

SSBର ୪୭ତମ ବାଟାଲିୟନ କମାଣ୍ଡାଣ୍ଟ ସଞ୍ଜୟ ପାଣ୍ଡେ କହିଛନ୍ତି ଯେ, ନେପାଳରେ ତିନି ଦିନ ଧରି ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମାରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ବୁଧବାର ଅପରାହ୍ନରେ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ, ନେପାଳରେ ସରକାର ସୋସିଆଲ ମିଡିଆ ଆପ୍ ବ୍ୟାନ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଲକ୍ଷାଧିକ ଜେନ-ଜି ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ସବୁକିଛି ନଷ୍ଟ କରିଦେଇଛନ୍ତି । ସଂସଦ ଭବନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଫିସରେ ନିଆଁ ଲଗାଇଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ସବୁକିଛି ଛାରଖାର ହୋଇଯାଇଛି ।

Leave A Reply

Your email address will not be published.