ଅକ୍ଟୋବର ୨ରୁ ସାରା ରାଜ୍ୟରେ ବର୍ଷବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ

0

ଭୁବନେଶ୍ୱର (ଆମ ଟିଭି): କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି (PAC) ବୈଠକ ଅନୁଷ୍ଠିତ ହୋଇଛି। ଆୟୋଜିତ ଏହି ସଭାରେ ଦଳର ନେତା ଓ କର୍ମୀଙ୍କ ଭିତରେ ଉପସ୍ଥିତ ରହି ଉତ୍ସାହ ଭରିଛନ୍ତି ଏଆଇସିସି ସାଧାରଣ ସଂପାଦକ (ସଂଗଠନ) କେସି ବେଣୁଗୋପାଳ । ସେ କହିଛନ୍ତି କେହି ବଡ ନେତା, କେହି ଛୋଟ ନେତା ନୁହନ୍ତି। ସମସ୍ତେ କଂଗ୍ରେସ ନେତା। ୨୦୨୯ ଆମର। ଓଡିଶାରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଠିକଣା ବାଟରେ ଚାଲିଛି। ଯଦି ରାହୁଲ ଗାନ୍ଧୀ ପଦଯାତ୍ରାରେ ସହସ୍ରାଧିକ ମାଇଲ ଚାଲୁଛନ୍ତି, ଆମେ କାହିଁକି ଚାଲି ନ ପାରିବା?

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୌରୋହିତ୍ୟରେ ପିସିସି କାର୍ଯ୍ୟକର୍ତ୍ତା, ସମସ୍ତ ବିଭାଗ, ଛାମୁଆ ସଂଗଠନ ଓ ସେଲର ମୁଖ୍ୟ ତଥା ସଂଗଠନ ସୃଜନ ଅଭିଯାନରେ ଦାୟିତ୍ୱ ନିଭାଇଥିବା ପିସିସି ପର୍ଯ୍ୟବେକ୍ଷକଙ୍କୁ ସମ୍ବୋଧନ କରି ସେ ଆହୁରି କହିଛନ୍ତି, କିଛି ଦିନରେ ସୃଜନ ପ୍ରକ୍ରିୟାରେ ଦେଶର ସମସ୍ତ ଜିଲ୍ଲାରେ ସଙ୍ଗଠନ ହୋଇଯାଇଥିବ। ଆସନ୍ତା ୩୦ ସେପ୍ଟେମ୍ବର ସୁଦ୍ଧା ଓଡିଶାର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତି ଚୟନ କାର୍ଯ୍ୟ ଶେଷ ହେବ।

ସେ ଆଉ ମଧ୍ୟ କହିଛନ୍ତି ଦଳର ନେତା ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନରେ ଗୁଜରାଟରେ ହୋଇଥିବା ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଶୈଳୀରେ ଓଡ଼ିଶା କଂଗ୍ରେସ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହେବ। ଦଳ ଏବେ ଜନସାଧାରଣଙ୍କ ଦୃଷ୍ଟିରେ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଉଛି। ଦଳର ନେତା ଓ କର୍ମୀମାନେ ପରିଶ୍ରମ କଲେ ଉଭୟ ବିଜେପି – ବିଜେଡିକୁ ହରାଇବା ସମ୍ଭବ। ପ୍ରତି ତିନିମାସରେ ଥରେ ନବନିଯୁକ୍ତ ଜିଲ୍ଲା ସଭାପତି ମାନଙ୍କ କାର୍ଯ୍ୟ ସମୀକ୍ଷା କରାଯିବ।

ଅକ୍ଟୋବର ମାସରେ କଂଗ୍ରେସ ସମସ୍ତ ବ୍ଲକରେ ପହଞ୍ଚିବ। ନଭେମ୍ବର – ଡିସେମ୍ବରରେ ଭୋଟ ଚୋରି ପ୍ରସଙ୍ଗକୁ ତୃଣମୂଳ ସ୍ତର ଯାଏଁ ପହଞ୍ଚାଇବା ସହ ବୁଥ କମିଟି ଗଠନ କାର୍ଯ୍ୟ ସାରିବାକୁ ସେ ଆହ୍ଵାନ ଦେଇଥିଲେ। ପିସିସି ସଭାପତିଙ୍କ ଦ୍ଵାରା ପ୍ରସ୍ତାବିତ ଗାନ୍ଧୀ ଜୟନ୍ତୀ ଠାରୁ ହେବାକୁ ଥିବା ବର୍ଷବ୍ୟାପୀ ପଦଯାତ୍ରାକୁ ସେ ପ୍ରଶଂସା କରି ସେ କହିଲେ, ଏଥିରେ ଯେପରି ସମସ୍ତ ସକ୍ରିୟ ନେତା ଓ କର୍ମୀ ଭାଗ ନିଅନ୍ତି ତାହା ଦେଖିବାକୁ ହେବ।

Leave A Reply

Your email address will not be published.